ଚିର ନିଦ୍ରାରେ ଉତ୍ତମ ମହାନ୍ତି । ୬୭ ବର୍ଷ ବୟସରେ ପରଲୋକ
ସକାଳୁ ସକାଳୁ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି । ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ ।
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ସିନେମା ଜଗତରେ ଛାଇ ଯାଇଥିଲେ ଉତ୍ତମ ମହାନ୍ତି । ତାଙ୍କ ଅବଦାନକୁ ସ୍ବୀକୃତି ଜଣାଇ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି । ସେ ଜୟଦେବ ପୁରସ୍କାର ସମେତ ଚାରି ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ‘ଦଣ୍ଡାବାଳୁଙ୍ଗା’ ‘ଝିଅଟି ସୀତା ପରି’ ଓ ‘ଫୁଲଚନ୍ଦନ’ ପାଇଁ ଶ୍ରେଷ୍ଠ ଅଭିନେତା ଏବଂ ‘ତୋ ବିନୁ ଅନ୍ୟ ଗତି ନାହିଁ’ ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ । ଉତ୍ତମଙ୍କ ପୂରା ପରିବାର ଚଳଚ୍ଚିତ୍ର ଜଗତ ପ୍ରତି ସମର୍ପିତ । ତାଙ୍କ ପତ୍ନୀ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ପୁତ୍ର ଅଭିନେତା ବାବୁସାନ ମହାନ୍ତି ଅଭିନୟ ଜଗତରେ ବେଶ୍ ସଫଳତା ପାଇଛନ୍ତି । ଉତ୍ତମ-ଅପରାଜିତା ଯୋଡ଼ି ଓଲିଉଡ୍ର ସର୍ବକାଳୀନ ହିଟ୍ଯୋଡ଼ି ଭାବେ ବିବେଚିତ । ଏହି ଯୋଡ଼ି ଅଭିନୀତ ଅନେକ ଚଳଚ୍ଚିତ୍ର ସୁପରହିଟ୍ ହୋଇଛି । ଏବେ ବାବୁସାନ ଓଲିଉଡ୍ର ଆଗଧାଡ଼ିର ତାରକା । ଗତ କିଛି ବର୍ଷ ହେଲା ସ୍ବାସ୍ଥ୍ୟଗତ କାରଣରୁ ଉତ୍ତମ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।
ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ସେ କହିଛନ୍ତି, ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ଜଗତରେ ଥିଲେ ଅପ୍ରତିଦ୍ବନ୍ଦ୍ବୀ ନାୟକ । ସେ ଓଡ଼ିଆ ଚଳଚ୍ଚିତ୍ରକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ । ତାଙ୍କ ବିୟୋଗ ଓଡ଼ିଆ କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଓଡ଼ିଆ କଳା ଜଗତରେ ସେ ଛାଡ଼ିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ ।
