ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଘୋଷଣା କଲେ ଅର୍ଥମନ୍ତ୍ରୀ, ଉପକୃତ ହେବେ ୧.୭ କୋଟି ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଘୋଷଣା କରିଛନ୍ତି । ଏହା ଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା କୃଷି ଉତ୍ପାଦନ ବୃଦ୍ଧି କରିବ, ଫସଲ ବିବିଧତାକୁ ଗ୍ରହଣ କରିବ, ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଅମଳ ପରବର୍ତ୍ତୀ ସଂରକ୍ଷଣବୃଦ୍ଧି କରିବ, ଜଳସେଚନକୁ ସୁଦୃଢ଼ କରିବ ଏବଂ ସ୍ୱଳ୍ପ ଏବଂ ଦୀର୍ଘମିଆଦୀ ଋଣଉପଲବ୍ଧତାରେ ଉନ୍ନତି ଆଣିବ ।

ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ୧.୭ କୋଟି କୃଷକ ଉପକୃତ ହେବେ ଏବଂ ଗ୍ରାମାଞ୍ଚଳ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଯାହାଦ୍ୱାରା ପ୍ରବାସ ଏକ ବିକଳ୍ପରେ ପରିଣତ ହେବ, ଆବଶ୍ୟକତା ନୁହେଁ ବୋଲି ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଆୟ ବୃଦ୍ଧି ସହିତ ସାରା ଦେଶରେ ପନିପରିବା ଏବଂ ଫଳର ବ୍ୟବହାର ବୃଦ୍ଧି ପାଉଛି । ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଡାଲିର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ଡାଲିରେ ଆତ୍ମନିର୍ଭରଶୀଳତା ପାଇଁ ସରକାର ୬ ବର୍ଷିଆ ଅଭିଯାନ ଆରମ୍ଭ କରିବେ ।

ପନିପରିବା, ଫଳ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି। ସେ ବିହାରରେ ଏକ ମଖାନା ବୋର୍ଡ ପ୍ରତିଷ୍ଠା କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ୟୁରିଆ ଯୋଗାଣକୁ ଆହୁରି ବଢ଼ାଇବା ପାଇଁ ଆସାମରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ। ଗରିବ, ଯୁବକ, କୃଷକ ଏବଂ ମହିଳାଙ୍କ ଉପରେ ଗୁରୁତ୍ୱ ଦେଇ ୧୦ଟି ବ୍ୟାପକ କ୍ଷେତ୍ରକୁ ମଧ୍ୟ ଅର୍ଥମନ୍ତ୍ରୀ ତାଲିକାଭୁକ୍ତ କରିଛନ୍ତି।

ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ସଂସଦର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ- ପ୍ରଥମ ପର୍ଯ୍ୟାୟ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୧୩ ରେ ଶେଷ ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷ ହେବ। ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଭାରତର ଘରୋଇ ଅର୍ଥନୀତିକୁ ସ୍ଥିର ରଖିବାରେ ଘରୋଇ ବ୍ୟବହାର ବୃଦ୍ଧି ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *