ମହିଳାଙ୍କୁ ବିଷ ପାଣି ପିଆଇଲେ ଭାବି ସ୍ୱାମୀଙ୍କ ପ୍ରେମିକା!

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡମରପୁର ଗ୍ରାମରେ ଜଣେ ଯୁବତୀଙ୍କୁ ବିଷାକ୍ତ ପାନୀୟ ପିଆଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ନାମ ପରଭିନ ଓ ସେ କୈଫତ ଅଲ୍ଲୀଙ୍କ ଝିଅ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ସହ ନିର୍ବନ୍ଧ କରିଥିବା ବ୍ୟକ୍ତିଙ୍କ ପ୍ରେମିକା ବୋଲି କୁହାଯାଉଛି। ଅଭିଯୁକ୍ତ ଜଣକ ଜଣେ ବୃଦ୍ଧା ମହିଳା ଓ ଦୁଇ ସନ୍ତାନର ମା’ ବୋଲି ଜଣାପଡ଼ିଛି।
ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପଟ୍ଟାମୁଣ୍ଡାଇ ଥାନା ପୁଲିସ ମହିଳାଙ୍କ ସମେତ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେପଟେ ଯୁବକଙ୍କୁ ମାଡ଼ ମାରି ଗାଁ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ପଟ୍ଟାମୁଣ୍ଡାଇ ପୁଲିସ ଏହି ଅଭାବନୀୟ ଘଟଣାର ତଦନ୍ତ ଆରମ୍ଭ କରି ବିଷକ୍ରିୟା ଜନିତ ଘଟଣା ସମ୍ପର୍କରେ ସ୍ପଷ୍ଟ ଭାବେ ଜାଣିବାକୁ ଚେଷ୍ଟା ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଜସମିନ୍ ନାମକ ଅଭିଯୁକ୍ତ ଜଣକ ପରଭିନଙ୍କ ଘରକୁ ଆସିଥିବା ବେଳେ ତାଙ୍କ ପରିବାରର ସମସ୍ତ ସଦସ୍ୟ ନିର୍ବନ୍ଧ କାମରେ ବାହାରକୁ ଯାଇଥିଲେ। ଜସମିନ୍ ପରଭିନଙ୍କୁ ବିଷ ମିଶା ଥଣ୍ଡା ପାନୀୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଥଣ଼୍ଡା ପାନୀୟ ପିଇବା ପରେ ପରଭିନ ଅସହଜ ଅନୁଭବ କରିଥିଲେ।
ଏହାପରେ କିଛି ଗ୍ରାମବାସୀ ପରଭିନଙ୍କ ଘରକୁ ଆସି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇକୁ ନିର୍ବନ୍ଧ ପାଇଁ ଯାଇଥିଲେ। ଏହିସମୟରେ ମହିଳା ତାଙ୍କ ଘରକୁ ଆସି ଯୁବତୀଙ୍କୁ ଥଣ୍ଡା ପାନୀୟ ଦେଇ ବିଷ ଦେଇଥିଲେ ବୋଲି ଜଣେ ଗ୍ରାମବାସୀ କହିଛନ୍ତି।