ଯୋଗ୍ୟ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇନଥିଲେ ବ୍ୟାଙ୍କ ଯାଆନ୍ତୁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି କିନ୍ତୁ ବ୍ୟାଙ୍କ ଆକାଉଣ୍ଟରେ କୌଣସି ସମସ୍ୟା ପାଇଁ ଟଙ୍କା ପାଇ ନାହାନ୍ତି ସେମାନେ ଏନପିସିଆଇକୁ ପୁନଃ ସକ୍ରିୟ କରିନିଅନ୍ତୁ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି କାମ କରିବା ପାଇଁ ସେମାନେ ବ୍ୟାଙ୍କ ଶାଖାକୁ ଯାଆନ୍ତୁ। ସେ କହିଛନ୍ତି ଯେ ଯେଉଁମାନେ ଫୋନ୍ କଲ୍ କିମ୍ବା ମେସେଜ୍ ପାଇଛନ୍ତି ସେମାନେ ଜାନୁଆରୀ ୨୯ ଓ ୩୦ ତାରିଖରେ ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
ଯେଉଁ ହିତାଧିକାରୀମାନେ ବ୍ୟାଙ୍କ ଆକାଉଣ୍ଟରେ ଏନପିସିଆଇ ବିଫଳ ହେବା କାରଣରୁ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସେମାନେ ବ୍ୟାଙ୍କ ଶାଖାରେ ଏହି ସ୍ୱତନ୍ତ୍ର ଅଭିଯାନରେ ଅଂଶଗ୍ରହଣ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି। ବ୍ୟାଙ୍କ ମିତ୍ର, ସ୍ୱତନ୍ତ୍ର ଡେସ୍କ ହିତାଧିକାରୀମାନଙ୍କୁ ବ୍ୟାଙ୍କ ଶାଖାରେ ସହାୟତା କରିବ।
ଶ୍ରୀମତି ପରିଡା ଆହୁରି କହିଛନ୍ତି ଯେ ଏହି ଯୋଜନା ପାଇଁ ମୋଟ ୧,୦୭,୨୩,୨୯୪ ଜଣ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି। ତେବେ ଏନପିସିଆଇ ଲିଙ୍କିଂ ବିଫଳ ହୋଇଥିବାରୁ ୩ ଲକ୍ଷ ୩୧ ହଜାର ୧୮୮ ହିତାଧିକାରୀଙ୍କୁ ଟଙ୍କା ଟ୍ରାନ୍ସଫର ହୋଇପାରିନାହିଁ ।
୧,୫୫,୧୫୮ ହିତାଧିକାରୀଙ୍କ ଇ-କେୱାଇସି ଏବେ ବି ବିଚାରାଧୀନ ରହିଛି। ସମୁଦାୟ ୩୧,୬୯୨ ଜଣ ଏଥିରୁ ଓହରିଯାଇଥିବା ବେଳେ ଅପ୍ଟ-ଇନ୍ ହିତାଧିକାରୀଙ୍କ ସଂଖ୍ୟା ୧୭,୪୪୮ ରହିଛି। ୧,୭୫,୧୧୯ ହିତାଧିକାରୀଙ୍କ କ୍ଷେତ୍ର ଯାଞ୍ଚ ବାକି ରହିଛି।
ଏହି ମହିଳା କେନ୍ଦ୍ରୀତ ଯୋଜନାର ହିତାଧିକାରୀ ହେବା ପାଇଁ ଆବେଦନ କରିଥିବା ପୁରୁଷଙ୍କ ସଂଖ୍ୟାରେ କୌଣସି ବୃଦ୍ଧି ଘଟିନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ୧୫୭ ଜଣ ପୁରୁଷ (କିନ୍ନର) ଆବେଦନ କରିଥିଲେ।