୯୦ କୋଟି ଟଙ୍କାରେ ଜେଟ୍ କିଣିଲେ ଏହି ବ୍ୟବସାୟୀ
ରାଞ୍ଚି: ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ସୁରେଶ ଜଲାନ ୧୦ ସିଟ୍ ବିଶିଷ୍ଟ ଏକ ଘରୋଇ ଜେଟ୍ କିଣିଛନ୍ତି। ଏହି ଘରୋଇ ଜେଟର ମୂଲ୍ୟ ୯୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସୁରେଶ ଜାଲାନ ଆଦିବାସୀ ଅଧ୍ୟୁଷିତ ରାଜ୍ୟ ଝାଡ଼ଖଣ୍ଡର ଗିରିଡିହର ବାସିନ୍ଦା ଏବଂ ରାଜ୍ୟର ସବୁଠାରୁ ବଡ଼ କାର୍ବନ ରିସୋର୍ସ କମ୍ପାନିର ମାଲିକ। ଦେଶର ସବୁଠାରୁ ଧନୀ ବ୍ୟବସାୟୀଙ୍କ ମଧ୍ୟରେ ସେ ୨୯୯ତମ ସ୍ଥାନରେ ଅଛନ୍ତି।
ସୁରେଶ ଜଲାନ ସ୍ୱିଜରଲ୍ୟାଣ୍ଡରୁ ୯୦ କୋଟି ଟଙ୍କାର ଏହି ଘରୋଇ ଜେଟ୍ କିଣିଛନ୍ତି। ସେ ସ୍ୱିଜରଲ୍ୟାଣ୍ଡରୁ ଉଡ଼ାଣ ଭରି ଗିରିଡିହସ୍ଥିତ ବୋରୋ ଏରୋଡ୍ରମରେ ଅବତରଣ କରିଥିଲେ। ବର୍ତ୍ତମାନ ବିମାନଟି ସିଙ୍ଗାପୁର ଅଭିମୁଖେ ଉଡ଼ାଣ ଭରିଛି।
ବ୍ୟବସାୟୀ ସୁରେଶ ଜଲାନଙ୍କ କମ୍ପାନି କାର୍ବନ ରିସୋର୍ସେସ୍ କାର୍ବୋନେସିୟସ୍ କଞ୍ଚାମାଲ ଉତ୍ପାଦନ କରିଥାଏ । ଯାହା ଭାରତର ପାଞ୍ଚଟି ରାଜ୍ୟରେ କାରବାର କରିଥାଏ। ଏହା ଭାରତରେ ଇଲେକ୍ଟ୍ରୋଡ୍ ପେଷ୍ଟର ସର୍ବବୃହତ୍ ଏବଂ ଏକମାତ୍ର ଉତ୍ପାଦନକାରୀ, ଯାହାର ଦୁଇଟି ସ୍ଥାନରେ ବାର୍ଷିକ ୧୨୦,୦୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ରହିଛି।
ଏହାବ୍ୟତୀତ କମ୍ପାନି କ୍ୟାଲସିନେଡ୍ ପେଟ୍ରୋଲିୟମ କୋକ୍, ଇଲେକ୍ଟ୍ରିକାଲି କାଲସିନେଡ୍ ଆନ୍ଥ୍ରାସାଇଟ୍, ରାମିଂ ପେଷ୍ଟ, କାର୍ବୁରାଇଜର୍ ଏବଂ ଇଞ୍ଜେକସନ୍ କାର୍ବନ ଉତ୍ପାଦନ କରିଥାଏ। ୯୦ କୋଟି ଟଙ୍କା ବ୍ୟୟରେ ସୁରେଶ ଜାଲାନ କିଣିଥିବା ୧୦ ସିଟ୍ ବିଶିଷ୍ଟ ଘରୋଇ ଜେଟ୍ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏକ ଘରୋଇ ଜେଟର ମୂଲ୍ୟ ଆକାର, ସୀମା, ମଡେଲ୍ ଏବଂ ବୈଶିଷ୍ଟ୍ୟ ଉପରେ ନିର୍ଭର କରେ । ସାଧାରଣତଃ ଏହାର ମୂଲ୍ୟ ୨ ନିୟୁତରୁ ୧୦୦ ନିୟୁତ ଡଲାର ମଧ୍ୟରେ ହୋଇଥାଏ। ଭାରତୀୟ ଟଙ୍କାରେ ଏହା ପ୍ରାୟ ୧୬ରୁ ୮୦୦ କୋଟି ଟଙ୍କା ଆସିଥାଏ।
ସବୁଠାରୁ ଶସ୍ତା ଘରୋଇ ଜେଟ୍ ହେଉଛି ସିରସ୍ ଭିଜନ, ଯାହାର ମୂଲ୍ୟ ପାଖାପାଖି ୧୬ କୋଟି ଟଙ୍କା। ମୁକେଶ ଅମ୍ବାନୀଙ୍କ ପାଖରେ ରହିଛି ଭାରତର ସବୁଠାରୁ ଦାମୀ ଘରୋଇ ଜେଟ୍ । ଦୁନିଆର ସବୁଠାରୁ ଦାମୀ ଘରୋଇ ଜେଟର ମାଲିକାନା ସାଉଦି ପ୍ରିନ୍ସ ଅଲୱାଲିଦ ବିନ୍ ତଲାଲ ଅଲ୍ ସୌଦଙ୍କ ପାଖରେ ରହିଛି। ଘରୋଇ ଜେଟ୍ କିଣିବା ପାଇଁ ସାଧାରଣତଃ ୧୦% ରୁ ୨୦% ଡାଉନ ପେମେଣ୍ଟ ଆବଶ୍ୟକ ହୋଇଥାଏ। ଘରୋଇ ବିମାନକୁ ମଧ୍ୟ ଲିଜରେ ନିଆଯାଇପାରିବ।
