ରାଜ୍ଯ ବିଜେପି ସଭାପତିଙ୍କ ନାଁ ଘୋଷଣା ପୂର୍ବରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ଘୋଷଣା କରାଯାଇଛି। ବ୍ରହ୍ମପୁରରେ ଅନୁଷ୍ଠିତ ଏକ ବୈଠକରେ ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେପି ସଦସ୍ଯଙ୍କ ଉପସ୍ଥିତିରେ ସରୋଜ ସାବତଙ୍କୁ ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଛି। ଏହି ନିଯୁକ୍ତି ପରେ ତୃଣମୂଳ ସ୍ତରରେ ସମସ୍ତ ସରକାରୀ ଯୋଜନା ଯେପରି ଲୋକଙ୍କ ନିକଟତର ହେବ ସେଥିପ୍ରତି ସେ ପ୍ରତିଶ୍ରୁତି ପ୍ରକାଶ କରିଛନ୍ତି।

ଏହାସହ ଆଗାମୀ ଦିନରେ ଏକ ସୁଦୃଢ଼ ସାଂଗଠନିକ ଢାଞ୍ଚା ବଜାୟ ରଖିବା ପାଇଁ ଶାସକ ଦଳର ଯୋଜନା ଓ ରଣନୀତିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ବଲାଙ୍ଗୀର ପାଇଁ ଶ୍ରୀବତ୍ସ ବେହେରା, ଢେଙ୍କାନାଳ ପାଇଁ ରାସ ବିହାରୀ ବେହେରା, କେନ୍ଦ୍ରାପଡ଼ା ପାଇଁ ଶଶାଙ୍କ ଶେଖର, ପୁରୀ ପାଇଁ ଡ. ଦେବେନ୍ଦ୍ର ତରାଇ, ବାଲେଶ୍ୱର ପାଇଁ ଈଶ୍ୱର ଚନ୍ଦ୍ର ବେହେରା ଓ କଟକ ସାଂଗଠନିକ ଜିଲ୍ଲା ପାଇଁ ସୁକାନ୍ତ ବିଶ୍ୱାଳଙ୍କୁ ବିଜେପି ପ୍ରାର୍ଥୀ କରିଛି।

ଏହି ଅବସରରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ନେତା, ସକ୍ରିୟ ସଭ୍ୟ ଓ ଦଳୀୟ କର୍ମୀଙ୍କ ସହଯୋଗ ପାଇଁ ମୁଁ ହୃଦୟରୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି। ଭବିଷ୍ୟତରେ ଜିଲ୍ଲାରେ ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ସୁଦୃଢ଼ କରାଯିବ। ଆମ ନେତାମାନଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ଆମେ ବଲାଙ୍ଗୀରକୁ ଓଡ଼ିଶାର ଏକ ନମ୍ବର ସାଂଗଠନିକ ଜିଲ୍ଲାରେ ପରିଣତ କରିବୁ ବୋଲି ବଲାଙ୍ଗୀର ବିଜେପିର ନବନିର୍ବାଚିତ ସଭାପତି ଶ୍ରୀବତ୍ସ ବେହେରା କହିଛନ୍ତି।

ଭାରତୀୟ ଜନତା ପାର୍ଟି ଏକ ଗଣତାନ୍ତ୍ରିକ ଦଳ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଓଡ଼ିଶା ସଭାପତି ମନମୋହନ ସାମଲ, ରାଜ୍ୟ ରିଟର୍ଣ୍ଣିଂ ଅଫିସର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସାଂଗଠନିକ ମୁଖ୍ୟ ମାନସ ମହାନ୍ତି, ବାଲେଶ୍ୱର ଜିଲ୍ଲାର ସମସ୍ତ ବିଧାୟକ ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ବୋଲି ବାଲେଶ୍ୱର ବିଜେପିର ନୂଆ ସଭାପତି ଈଶ୍ୱର ବେହେରା କହିଛନ୍ତି।

ସଂଗଠନକୁ ସୁଦୃଢ଼ କରିବା ହେଉ କିମ୍ବା ନିର୍ବାଚନରେ ଭଲ ଫଳାଫଳ ହାସଲ କରିବା ହେଉ ବାଲେଶ୍ୱର ଜିଲ୍ଲାରେ ଦଳୀୟ କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରି ନିଷ୍ଠାର ସହ କର୍ତ୍ତବ୍ୟ ନିର୍ବାହ କରିବାକୁ ପ୍ରତିଶ୍ରୁତି ଦେଉଛି ବୋଲି ଶ୍ରୀ ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *