ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଧଳା ବାଘ ଛୁଆଟିର ମୃତ୍ୟୁର କିଛି ଦିନ ପରେ ଏହି ଘଟଣା ଘଟିଛି, ଯାହା ଚିଡ଼ିଆଖାନାରେ ପଶୁମାନଙ୍କ ରକ୍ଷଣାବେକ୍ଷଣ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

କରଞ୍ଜିଆ ଜଙ୍ଗଲରୁ ପ୍ରାୟ ୫-୬ ବର୍ଷର ଏହି ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। ମୋରମ୍ ଖଣିରେ ପଡ଼ିଯିବାରୁ ମେରୁଦଣ୍ଡରେ ଆଘାତ ଲାଗିଥିଲା, ଯାହା ଫଳରେ ଏହାର ପଛ ଗୋଡ଼ରେ ଭଲଭାବେ ଚାଲିପାରୁନଥିଲା ଏବଂ ପିଠି ପକ୍ଷାଘାତ ହୋଇଯାଇଥିଲା ।

ନନ୍ଦନକାନନରେ ପହଞ୍ଚିବା ପରେ ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଓ ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଡବ୍ଲ୍ୟୁଏଚ୍)ର ବିଶେଷଜ୍ଞମାନେ ରକ୍ତ ପରୀକ୍ଷା ଓ ଏକ୍ସ-ରେ କରିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ, ପିଠିର ମେରୁଦଣ୍ଡ ଡିସ୍କରେ ବିସ୍ଥାପିତ ହୋଇଛି କିମ୍ବା ଚାପି ହୋଇଯାଇଛି । ତେଣୁ ହାତୀ ଛୁଆଟିର ପଛ ପାର୍ଶ୍ୱରେ ପକ୍ଷାଘାତ ସୃଷ୍ଟି ହୋଇଛି।

ହାତୀଟି ଘାସ, ଗଛର ପତ୍ର ଓ କଦଳୀ ଗଛ ଖାଉଥିଲେ ମଧ୍ୟ ଭଲ ଭାବେ ମଳତ୍ୟାଗ କରିପାରୁନି। ଏଥିପାଇଁ ନିୟମିତ ବ୍ୟବଧାନରେ ମଳକୁ କେୟାର ଟେକରଙ୍କ ସାହାଯ୍ୟରେ ବାହାର କରାଯାଉଛି। ପ୍ରାଣୀ ଚିକିତ୍ସକ ଦଳ ଓ ବିଶେଷଜ୍ଞଙ୍କ ବହୁ ଚେଷ୍ଟା ସତ୍ତ୍ୱେ ହାତୀଟିର ଅବସ୍ଥାରେ ସୁଧାର ନ ଆସିବାରୁ ଆଜି ସକାଳେ ହାତୀଟିର ମୃତ୍ୟୁ ଘଟିଛି।

ପୂର୍ବରୁ ନନ୍ଦନକାନନରେ ୨ ମାସର ଏକ ଧଳା ବାଘ ଛୁଆର ସମାନ ଢଙ୍ଗରେ ମୃତ୍ୟୁ ଘଟିଥିଲା। ଛୁଆଟିକୁ ଜ୍ୱର ହୋଇଥିଲା ଏବଂ ଆଇଭି ତରଳ ପଦାର୍ଥ, ପ୍ଲାଜମା ଏକ୍ସପାଣ୍ଡର, ଆଣ୍ଟିବାୟୋଟିକ, ଆଣ୍ଟାସିଡ୍ ଏବଂ ଆଣ୍ଟିକନଭାଲସେଣ୍ଟ ସମେତ ନିବିଡ଼ ଚିକିତ୍ସା ସତ୍ତ୍ୱେ ସେ ବଞ୍ଚି ପାରିନଥିଲା ।

Leave a Reply

Your email address will not be published. Required fields are marked *