ମହାକୁମ୍ଭରେ ଅଘଟଣ, ସିଲିଣ୍ଡର ଫାଟିବାରୁ ଜଳିଗଲା ଶହ ଶହ ଟେଣ୍ଟ
ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାର ସେକ୍ଟର ୫ରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ବାରଣାସୀର ବିବେକାନନ୍ଦ ସେବା ସମିତିର ଟେଣ୍ଟରେ ରୋଷେଇ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ଡରେ ଅନ୍ୟ ତମ୍ବୁ ଜଳି ଯାଇଥିବାରୁ ସେଥିରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ସହ କିଛି ସମୟ ମଧ୍ୟରେ ୨୦ରୁ ୨୫ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୬ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ପୁଲିସ ଓ ଏନଡିଆରଏଫ ଟିମ୍ ଆଖପାଖ ଅଞ୍ଚଳକୁ ଖାଲି କରିଥିଲେ। ଶାସ୍ତ୍ରୀ ବ୍ରିଜ ଓ ରେଳ ବ୍ରିଜ ମଝିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ସମଗ୍ର ଅଞ୍ଚଳ କୁମ୍ଭ ମେଳା ଅଞ୍ଚଳ ଅଧୀନରେ ରହିଛି।
ଟେଣ୍ଟରେ ରଖାଯାଇଥିବା ସିଲିଣ୍ଡର ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେବାକୁ ଲାଗିଥିବାରୁ ନିଆଁ ବ୍ୟାପି ଯାଇଥିଲା। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିଲା। ଅଗ୍ନିକାଣ୍ଡ ଘଟଣା ପରେ ମେଳାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଗ୍ନିକାଣ୍ଡ ପ୍ରଭାବିତ ଅଞ୍ଚଳଠାରୁ ଦୂରରେ ଲୋକେ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି।
ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସେକ୍ଟର-୫ରୁ ଆରମ୍ଭ ହୋଇଥିବା ନିଆଁ ଧୀରେ ଧୀରେ ସେକ୍ଟର ୧୯ ଓ ୨୦କୁ ବ୍ୟାପିଯାଇଥିଲା। ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବା ସହ ଆଖପାଖ ଟେଣ୍ଟକୁ ମଧ୍ୟ ବ୍ୟାପି ଯାଇଥିଲା। ନିଆଁକୁ ଆୟତ୍ତ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଗୁଜବ ପ୍ରତି ଧ୍ୟାନ ନଦେବାକୁ ସେମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି। ତେବେ କେମିତି ଅଗ୍ନିକାଣ୍ଡ ଘଟିଲା ଓ କେମିତି ଏତେ ଭୟଙ୍କର ହେଲା ସେ ନେଇ ପ୍ରଶାସନ କିଛି ସ୍ପଷ୍ଟ କରିନାହିଁ।
ଶ୍ରଦ୍ଧାଳୁମାନେ ମେଳା ଅଞ୍ଚଳରେ ରହିବା ପାଇଁ ଟେଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ଟଙ୍କା ଦେବାକୁ ପଡ଼ୁଛି। ଟେଣ୍ଟରୁ ନିଆଁ ଲାଗିଥିଲା। ଟେଣ୍ଟରେ ରହିବା ଓ ଖାଇବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥାଏ। ଟେଣ୍ଟରେ ରଖାଯାଇଥିବା ସିଲିଣ୍ଡରରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ଅଗ୍ନିକାଣ୍ଡ ଘଟଣା ପରେ ସମାଜବାଦୀ ପାର୍ଟି ୟୁପିର ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି । ଦଳ କହିଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଯେଉଁ ମେଳା ଅଞ୍ଚଳର ପରିଚାଳନାକୁ ନେଇ ଗର୍ବ କରୁଥିଲେ ଏବଂ ସମସ୍ତଙ୍କୁ ନିମନ୍ତ୍ରଣ କରୁଥିଲେ, ତାହା କ’ଣ ଆଜି ଦେଖିବାକୁ ମିଳିଥିଲା? ସତ କଥା ହେଉଛି, ମୁଖ୍ୟମନ୍ତ୍ରୀ ଯୋଗୀ କେବଳ ହୋହଲ୍ଲା କରି ଦୁର୍ନୀତିରେ ଲିପ୍ତ ଥିବା ବେଳେ ବାକି ସୁରକ୍ଷା ବ୍ୟବସ୍ଥା କେବଳ ଭଗବାନ ରାମଙ୍କ ଉପରେ ନିର୍ଭରଶୀଳ।
