ଚାମ୍ପିୟନ୍ସ ଟ୍ରଫି ଦଳକୁ ନେଇ ଗୌତମ ଗମ୍ଭୀର ଓ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ!

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ଦିଆଯାଇନଥିବା ବେଳେ ଶୁଭମନ ଗିଲଙ୍କୁ ଉପଅଧିନାୟକ କରାଯାଇଛି। ଏହାକୁ ନେଇ କୋଚ ଗୌତମ୍ଭ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ଯରେ ମତଭେଦ ରହିଛି। ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ କୋଚ୍ ଗୌତମ ଗମ୍ଭୀର ଶୁଭମନ ଗିଲଙ୍କୁ ଉପଅଧିନାୟକ କରିବା ସପକ୍ଷରେ ନଥିଲେ। ରିପୋର୍ଟରେ କୁହାଯାଇଛି ଯେ ଗମ୍ଭୀର ଚାହୁଁଥିଲେ ହାର୍ଦ୍ଦିକଙ୍କୁ ଉପଅଧିନାୟକ ଦିଆଯାଉ କିନ୍ତୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ହାର୍ଦ୍ଦିକଙ୍କ ସପକ୍ଷରେ ନଥିଲେ। ରୋହିତ ଓ ଅଜିତ ଅଗରକର ଗିଲଙ୍କୁ ଉପଅଧିନାୟକ ପଦରେ ଦେଖିବାକୁ ଚାହୁଁଥିଲେ।

ଜାନୁଆରୀ ୧୮ତାରିଖରେ ଟିମ୍ ଇଣ୍ଡିଆ ପାଇଁ 15 ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ଅପରାହ୍ନ ସାଢ଼େ ୧୨ଟା ସୁଦ୍ଧା ପ୍ରଥମ ଦଳ ଘୋଷଣା ହେବାର ଥିଲା କିନ୍ତୁ ନିର୍ଦ୍ଧାରିତ ସମୟରେ ଦଳ ଘୋଷଣା ହୋଇପାରିନଥିଲା। ବାସ୍ତବରେ ଏହାର ୩ ଘଣ୍ଟା ପରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, କୋଚ୍ ଗମ୍ଭୀର, ଅଧିନାୟକ ରୋହିତ ଏବଂ ଚୟନକର୍ତ୍ତା ଅଜିତ ଅଗରକର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ଚୟନ କରିବା ନେଇ ଆଲୋଚନା କରୁଥିଲେ। ହାର୍ଦ୍ଦିକ ୨୦୨୩ ବିଶ୍ୱକପରେ ଭାରତୀୟ ଦଳର ଉପଅଧିନାୟକ ଥିଲେ।

ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଗମ୍ଭୀର ୱିକେଟକିପର ଭାବେ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲେ କିନ୍ତୁ ରୋହିତ ଏବଂ ଅଗରକର ପନ୍ତଙ୍କ ସପକ୍ଷରେ ଥିଲେ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩ଟି ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ସଞ୍ଜୁଙ୍କୁ ଚାମ୍ପିୟନ୍ସ ଟ୍ରଫି ଦଳରେ ୱିକେଟକିପର ଭାବେ ଦଳରେ ସାମିଲ କରିବାକୁ ଚାହୁଁଥିଲେ କୋଚ ଗମ୍ଭୀର। କିନ୍ତୁ ରୋହିତ ଓ ଅଗରକର ପନ୍ତଙ୍କୁ ଦଳରେ ସାମିଲ କରିବାକୁ ଜିଦ୍ ଧରିଥିଲେ।

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟ କିପର), ଋଷଭ ପନ୍ତ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଯଶସ୍ୱୀ ଜୟସ୍ୱାଲ, ରବୀନ୍ଦ୍ର ଜାଡେଜା ଦଳରେ ରହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ସଞ୍ଜୁଙ୍କୁ ଦଳରେ ସାମିଲ ନ କରିବା ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ।

ଶଶି ଥରୁର ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ସଞ୍ଜୁ ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ସ୍କୋର ୨୧୨* କରିଥିଲେ । ସେହିପରି ଭାରତ ପାଇଁ ଦିନିକିଆରେ ହାରାହାରି ୫୬.୬୬ (ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚରେ ଶତକ ସମେତ) ରନ୍ କରିଛନ୍ତି । କ୍ରିକେଟ ପ୍ରଶାସକଙ୍କ ଅହଂକାର ଯୋଗୁଁ ସଞ୍ଜୁଙ୍କ କ୍ୟାରିୟର ନଷ୍ଟ ହେଉଛି।

Leave a Reply

Your email address will not be published. Required fields are marked *