ଚୋରି ନା ହତ୍ୟା, କେଉଁ ଉଦ୍ଦେଶ୍ୟରେ ସୈଫ୍ ଅଲ୍ଲୀ ଖାନଙ୍କ ଘରେ ପଶିଥିଲା ଆକ୍ରମଣକାରୀ?

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ କରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ବାନ୍ଦ୍ରାର ହିରାନନ୍ଦାନୀରୁ ଗିରଫ କରି ପଚରାଉଚରା କରୁଛି । ଏବେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଏହି ମାମଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆକ୍ରମଣକାରୀକୁ ପଚରାଉଚରା କରିବା ପରେ ସାମ୍ନାକୁ ଆସିଥିବା କିଛି ତଥ୍ଯ ପ୍ରକାଶ କରିଛି ।

ଅଭିଯୁକ୍ତର ମୁଖ୍ୟ ନାମ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ, ବୟସ ୩୦ ବର୍ଷ। ପୁଲିସ କହିଛି ଯେ ଅଭିଯୁକ୍ତ ପାଖରେ କୌଣସି ଭାରତୀୟ ଦସ୍ତାବିଜ ନାହିଁ ଏବଂ ସେ ବାଂଲାଦେଶୀ ବୋଲି ସନ୍ଦେହ କରାଯାଉଛି । ଅଭିଯୁକ୍ତ ଜଣକ ୫-୬ ମାସ ତଳେ ମୁମ୍ବାଇ ଆସି ଏକ ହାଉସ କିପିଂ ଏଜେନ୍ସିରେ କାମ କରୁଥିଲା।

ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଛୁରାରେ ଆକ୍ରମଣ ପରେ ଅଭିଯୁକ୍ତ ଘରେ ପଶିବା ପଛର ଉଦ୍ଦେଶ୍ୟ କ’ଣ ତାହା କହିବା କଷ୍ଟକର ହୋଇପଡ଼ିଛି। ସେ ଚୋରି କରିବାକୁ ଯାଇଥିଲା ନା ହତ୍ୟା କରିବାକୁ ଯାଇଥିଲା, ତାହା ଏବେ ବି ଅସ୍ପଷ୍ଟ ରହିଛି। ପୁଲିସ କିନ୍ତୁ ପଚରାଉଚରା ପରେ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ଚୋରି କରିବା ଉଦ୍ଦେଶ୍ୟରେ ସୈଫ୍ ଅଲ୍ଲୀ ଖାନଙ୍କ ଘରେ ପ୍ରବେଶ କରିଥିଲା । ସେ ଜାଣି ନଥିଲା ଯେ ସେ ଯେଉଁ ଘରେ ଚୋରି କରିବାକୁ ଯାଉଥିଲା ତାହା ବଲିଉଡ୍ ଅଭିନେତାଙ୍କ ଘର।

ମୁମ୍ବାଇ ପୁଲିସର ୩୦ରୁ ଅଧିକ ଟିମ୍ ଲଗାତାର ଅଭିଯୁକ୍ତକୁ ଖୋଜୁଥିଲା। ଘଟଣାର ୭୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ପୋଲିସ ଏବେ ଗିରଫ କରିଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୈଫ ଅଲ୍ଲୀ ଖାନଙ୍କ ବୟାନ ରେକର୍ଡ କରିବ ପୋଲିସ।

ଜାନୁଆରୀ ୧୫ ତାରିଖ ରାତି ପ୍ରାୟ ୨ଟା ବେଳେ ଜଣେ ଅଜଣା ବ୍ୟକ୍ତି ସୈଫ ଅଲ୍ଲୀ ଖାନଙ୍କ ଘରେ ପଶିଥିଲା। ସନ୍ଦିଗ୍ଧ ବ୍ୟକ୍ତିକୁ ଘରର ଚାକରାଣୀ ଦେଖି ଚିତ୍କାର କରିବା ଆରମ୍ଭ କରିଥିଲା। ଚିତ୍କାର ଶୁଣି ସୈଫ୍ ପହଞ୍ଚିବା ପରେ ଅଭିଯୁକ୍ତ ସୈଫଙ୍କୁ ୬ ଥର ଛୁରା ମାଡ଼ କରିଥିଲେ। ଏହି ସମୟରେ ଅଭିନେତା ଗୁରୁତର ଆହତ ହେବା ପରେ ପରିବାର ଲୋକେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସୈଫ୍ ବିପଦମୁକ୍ତ ଅଛନ୍ତି।

Leave a Reply

Your email address will not be published. Required fields are marked *