ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ବୋର୍ଡର ଦୃଷ୍ଟାନ୍ତମୂଳକ ପଦକ୍ଷେପ
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି ଯେ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ରରେ ଓ୍ୱାଟରମାର୍କ ଓ ବାରକୋଡ୍ ରହିବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲିକ୍ ଘଟଣାକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରର ସୁରକ୍ଷା ପାଇଁ ଶିକ୍ଷା ବୋର୍ଡ କଡ଼ା ପ୍ରୋଟୋକଲ ଲାଗୁ କରିବାକୁ ଯାଉଛି।
ମାଟ୍ରିକ୍ ପରୀକ୍ଷା ପ୍ରକ୍ରିୟାର କପି ରୋକିବାକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପରୀକ୍ଷା ପ୍ରଶ୍ନପତ୍ରରେ ବିଭିନ୍ନ ସୁରକ୍ଷା ବୈଶିଷ୍ଟ୍ୟ ସହିତ ଏକ ସ୍ୱତନ୍ତ୍ର ପରିଚୟ ରହିବ। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ୱପତ୍ରରେ ୱାଟରମାର୍କ, ବାରକୋଡ୍ ଏବଂ ଏନକ୍ରିପ୍ଟେଡ୍ ସିକ୍ୟୁରିଟି ନମ୍ବର ଅନ୍ତର୍ଭୁକ୍ତ ହେବାକୁ ଯାଉଛି।
ତେଣୁ ପ୍ରଶ୍ନପତ୍ର ଲିକ ହେଲେ କେଉଁଠୁ ବା କାହା ପାଖରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଛି ଜଣାପଡ଼ିବ । ବିଭିନ୍ନ ସମୟରେ ପ୍ରଶ୍ନପତ୍ର ଲିକ୍ ହୋଇ ଅନଲାଇନରେ ସେୟାର କରାଯାଉଥିବା ଘଟଣାର ପୁନରାବୃତ୍ତିକୁ ରୋକିବା । ଏପରି ହେଲେ ଯେଉଁ ପରୀକ୍ଷାର୍ଥୀ ବେଆଇନ୍ ଭାବେ କପିର ଫାଇଦା ନେଉଥିଲେ ସେମାନେ ସ୍ୱଚ୍ଛତାର ସହ ପରୀକ୍ଷା ଦେଇଯିବେ ।
ଏହାବ୍ୟତୀତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନମ୍ବର ସିଟ୍ ବ୍ୟବସ୍ଥା ରହିବ, ଯାହା କି ମାଟ୍ରିକ୍ ପରୀକ୍ଷାର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଅନ୍ୟତମ ପଦକ୍ଷେପ। ପରୀକ୍ଷାର ନିରପେକ୍ଷତା ଓ ସଚ୍ଚୋଟତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୋର୍ଡ ଗୁରୁତ୍ୱାରୋପ କରିଛି।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୧୪ ତାରିଖରେ ବିଏସ୍ଇ ଓଡ଼ିଶାରେ ୨୦୨୫ ମାଟ୍ରିକ୍ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଥିଲା। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ପରୀକ୍ଷା ଫେବୃଆରୀ ୨୧, ୨୦୨୫ (ଶୁକ୍ରବାର) ରୁ ଆରମ୍ଭ ହୋଇ ମାର୍ଚ୍ଚ ୬, ୨୦୨୫ (ଗୁରୁବାର) ରେ ଶେଷ ହେବ । ଉଭୟ ରେଗୁଲାର ଓ ପ୍ରି-ରେଗୁଲାର ପରୀକ୍ଷା ସମାନ ସମୟରେ ଏବଂ ସମାନ ପ୍ରଶ୍ନପତ୍ର ସହ ହେବ। ପରୀକ୍ଷା ପ୍ରତିଦିନ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟାରେ ଶେଷ ହେବ।
ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ଏଚଏସସି) ପରୀକ୍ଷା ସୁରୁଖୁରୁରେ ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ବିସ୍ତୃତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ୨୦୨୪ ଫେବ୍ରୁଆରି ୨୪ତାରିଖରେ ଲିକ୍ ହୋଇଥିବା ଜଣାପଡ଼ିଛି।
