ରେଲ ଲାଇନ ସଂପ୍ରସାରଣ ପାଇଁ ବାଲେଶ୍ୱରରେ କର୍ଫ୍ୟୁ : ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ

ବାଲେଶ୍ୱର: ବେଆଇନ ନିର୍ମାଣ ଉଚ୍ଛେଦ ଓ ରେଳ ଲାଇନରେ ଥିବା ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି କରାଯାଇଛି। ଆଜି ଓ ଆସନ୍ତାକାଲି, ଶନିବାର ଭୋର ୪ଟାରୁ ରବିବାର ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି।

ଅରଡ଼ ବଜାରରୁ ପରିବା ମାର୍କେଟ, ହରିପୁରରୁ ଦରଜୀ ପୋଖରୀ ଛକ, କାସିମିଳା ବ୍ରିଜରୁ ଫୁଲାଡି ଛକ ଏବଂ ନୂଆ ବଜାର ରେଳ ଫାଟକରୁ ପରିବା ମାର୍କେଟ କୁ ଯାଉଥିବା ରାସ୍ତାର ଉଭୟ ପାର୍ଶ୍ୱରେ ଏପରି ଘୋଷଣା କରାଯାଇଛି। କର୍ଫ୍ୟୁ ସମୟରେ ସମାବେଶ, ସଭା ଓ ଶୋଭାଯାତ୍ରା ଉପରେ କଡ଼ା କଟକଣା ଜାରି କରାଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ସହ ବାଲେଶ୍ୱରର ଯଦୁପୁର, ଅଖତିଆରପୁର ଓ ଭାସ୍କର ଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ କଡ଼ା ପଦକ୍ଷେପ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜବରଦଖଲ ଯୋଗୁଁ ତୃତୀୟ ରେଳଲାଇନ କାମରେ ବାଧା ସୃଷ୍ଟି ହେଉଥିଲା।

ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ କହିଛନ୍ତି, ତୃତୀୟ ରେଳଲାଇନ ନିର୍ମାଣ କରାଯାଉଛି ଏବଂ ଏହା ଏକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ତେବେ ଆଖପାଖ ଅଞ୍ଚଳରେ ଅନେକ ଅନଧିକୃତ ନିର୍ମାଣ ସୃଷ୍ଟି ହୋଇଥିବାରୁ କାମ ସୁରୁଖୁରୁରେ ଚାଲିବାରେ ବାଧା ସୃଷ୍ଟି ହୋଇଛି, ଯେଉଁଥିପାଇଁ ଉଚ୍ଛେଦ ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ।

ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉଚ୍ଛେଦ ନୋଟିସ୍ ଜାରି କରାଯାଇଛି ଏବଂ କର୍ଫ୍ୟୁ ଆଦେଶ ଜାରି କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ୱର ଦେଇ ଭଦ୍ରକ ଦେଇ ପଶ୍ଚିମ ମେଦିନୀପୁରର ନାରାୟଣଗଡ଼ରୁ ତୃତୀୟ ରେଳ ଲାଇନ ନିର୍ମାଣ କରାଯାଉଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ବର୍ଷ ଜାନୁଆରୀ ୧୮ ତାରିଖରେ ଗୋପୀନାଥପୁର ନୀଳଗିରି-ବାଲେଶ୍ୱର ପାସେଞ୍ଜର ରେଳ ଲାଇନର ୧୮ କିଲୋମିଟର ସେକ୍ସନକୁ ଉଦଘାଟନ କରିବା ସହ ରାଜ୍ୟରେ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ବିଷୟରେ କହିଥିଲେ ।

Leave a Reply

Your email address will not be published. Required fields are marked *