ମାଡ଼ି ଚାଲିଛି ଚୀନ୍ ଭାଇରସ: ବଡ଼ ଖବର ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଚୀନ୍ ପରେ ଭାରତରେ ଏଚଏମପିଭିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଡବ୍ଲୁଏଚ୍ଓ ଏହାକୁ ଏକ ସାଧାରଣ ଭୂତାଣୁ ବୋଲି କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏଚଏମପିଭି ଅର୍ଥାତ୍ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ ନୂଆ ନୁହେଁ, ଏହା ୨୦୦୧ରେ ହିଁ ଚିହ୍ନଟ ହୋଇଥିଲା। ଏହା ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ରହିଆସୁଛି ଯାହା ଶୀତ ଋତୁରେ ବଢିଥାଏ ।

ନିକଟରେ ଚୀନରେ ଏଚଏମପିଭିର ଅନେକ ମାମଲା ସାମ୍ନାକୁ ଆସିଛି। ଏହା ପରେ ଭାରତରେ ମଧ୍ୟ ଏପରି ରୋଗୀ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କ ଚିନ୍ତା ବଢିଯାଇଛି। ଏହି ଭୂତାଣୁ କରୋନା ଭଳି ବିପର୍ଯ୍ୟୟ ସୃଷ୍ଟି କରିବ ନାହିଁ ବୋଲି ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରାଯାଉଥିଲା। ତେବେ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଲୋକଙ୍କୁ ଭୟଭୀତ ନ ହେବାକୁ ନିବେଦନ କରିଛନ୍ତି। ଏବେ ଡବ୍ଲୁଏଚଓ ମଧ୍ୟ ଏହା ସ୍ପଷ୍ଟ କରିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏଚଏମପିଭି ଏକ ନୂଆ ଭୂତାଣୁ ନୁହେଁ, ଏହା ୨୦୦୧ ରେ ଚିହ୍ନଟ ହୋଇଥିଲା ଏବଂ ଦୀର୍ଘ ଦିନ ଧରି ଜନସାଧାରଣଙ୍କ ମଧ୍ୟରେ ଉପସ୍ଥିତ ରହିଛି । ଏହା ଏକ ସାଧାରଣ ଭୂତାଣୁ ଯାହା ଶୀତ ଓ ବସନ୍ତ ଋତୁରେ ବ୍ୟାପିଥାଏ । ଶ୍ୱାସକ୍ରିୟା ଓ ସାଧାରଣ ଥଣ୍ଡା ଭଳି ସମସ୍ୟା ଦେଖାଦେଇପାରେ।

ବର୍ତ୍ତମାନ ସୁଦ୍ଧା ଦେଶରେ ୯ଟି ଏଚଏମପିଭି ମାମଲା ସାମ୍ନାକୁ ଆସିଛି, ବୁଧବାର ସକାଳେ ମହାରାଷ୍ଟ୍ରରେ ନବମ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ହିରାନନ୍ଦାନୀ ହସ୍ପିଟାଲରେ ଜଣେ ୬ ମାସର ଶିଶୁକନ୍ୟାରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି । ଏହା ପୂର୍ବରୁ ନାଗପୁରରେ ମଧ୍ୟ ୨ଟି ମାମଲା ସାମ୍ନାକୁ ଆସିଥିଲା । କର୍ଣ୍ଣାଟକରେ ଏହି ଭୂତାଣୁର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ସେହିପରି ତାମିଲନାଡୁ, ପଶ୍ଚିମବଙ୍ଗ ଓ ଗୁଜରାଟରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *