ଦେବଗଡ଼ ଆକାଶରେ ଚକ୍କର କାଟୁଛି ହେଲିକପ୍ଚର

ଦେବଗଡ: ଜିଲ୍ଲାରେ ଗତ କିଛି ଦିନ ହେଲା ଦେଖାଯାଉଛି ଏକ ହେଲିକପ୍ଟର । ହେଲିକପ୍ଟର ତଳେ ଖଞ୍ଜାଯାଇଛି ଇଲେକ୍ଟ୍ରେନିକ୍ସ ମାଗନେଟିକ ମିଟର । ଏହା ଗାଁର ଅତି ନିକଟକୁ ଆସୁଛି, ବଣ ପାହାଡ ଉପରେ ବୁଲୁଛି । ହେଲିକପ୍ଟରକୁ ଦେଖି ଲୋକ ଯେତିକି ମଜା ନେଉଛନ୍ତି ସେତିକି ଭୟଭୀତ ଅଛନ୍ତି । ହେଲିକପ୍ଟରକୁ କିଏ ଆଣୁଛି, ଗାଁ ଉପରେ କାହିଁକି ଉଡୁଛି ଏଭଳି କିଛି ଆଶଙ୍କାରେ ରହିଥିଲେ ସ୍ଥାନୀୟ ଲୋକ । କିନ୍ତୁ ହେଲିକପ୍ଟର ଉଡିବା ପଛର ସତ ଏବେ ସାମ୍ନାକୁ ଆସିଛି । ହେଲିକପ୍ଟର ଯୋଗେ ଖଣିଜ ପଦାର୍ଥର ଅନୁସନ୍ଧାନ ହେଉଛି ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅନୁମତି ଦେଇଥିବା ଜଣାପଡିଛି । ଏହାପରେ ଲୋକଙ୍କ ଭୟ କିଛି ପରିମାଣରେ କମିଛି ।

ଆକାଶରେ ଚକ୍କର କାଟୁଛି ହେଲିକପ୍ଚର । ଏକ ନିର୍ଦ୍ଦିଷ୍ଟ ସମୟରେ ଆସୁଛି କିଛି ରାଉଣ୍ଡ ମାରି ପୁଣି ଫେରି ଯାଉଛି। ଦେବଗଡ଼ ଜିଲ୍ଲା ରିଆମାଳ ଓ ତିଲେଇବଣି ବ୍ଲକର ବିଭିନ୍ନ ଗାଁରେ ଚକ୍କର କାଟୁଛି ଏହି ହେଲିକପ୍ଟର । ଦିନେ କିମ୍ବା ଦୁଇ ଦିନ ନୁହେଁ ବରଂ ପାଖାପାଖି ୬ ଦିନ ହେଲାଣି ଏଭଳି ଚକ୍କର କାଟୁଛି । ଗତ ସୋମବାର ଠାରୁ ଏହା ବୁଲୁଥିବାର ନଜରକୁ ଆସିଛି । ବିଶେଷ କରି ଆଡ଼ସ ପଂଚାୟତରେ ଚିହ୍ନଟ ହୋଇଥିବା ସୁନାଖଣି ଏବଂ ଅତି ନିକଟରେ ଥିବା କଂସର ପଂଚାୟତର ତେଲଭାଙ୍ଗୁଣି, ଭଙ୍ଗାମୁଣ୍ଡା ଓ ଖଜୁରିଖମଣ ଗାଁରେ ହେଲିକପ୍ଟର ବୁଲୁଥିବା ଦେଖାଯାଉଛି । ହେଲିକପ୍ଟର ତଳେ ଖଣିଜ ପଦାର୍ଥର ଅନୁସନ୍ଧାନ ପାଇଁ ଇଲେକ୍ଟ୍ରୋ ମାଗନେଟିକ ମିଟର ଖଞ୍ଜାଯାଇଛି । ଏହାକୁ ପ୍ରଥମରୁ ସ୍ଥାନୀୟ ଲୋକେ ଅନେକ ଆଶଙ୍କାରେ ଥିଲେ । ତେବେ ସୁନା ଖଣି ପାଇଁ ହେଲିକପ୍ଚର ବୁଲୁଥିବାର ସତ ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ଟିକେ ଆଶ୍ବସ୍ତି ମିଳିଛି। ଏହା କହିଛନ୍ତି ସ୍ଥାନୀୟ ବାସିନ୍ଦା ସନ୍ତୋଷ ଭୂତିଆ ।

ଦେବଗଡ ଜିଲ୍ଲାର ଆଡସ ପଂଚାୟତରେ ସୁନାଖଣି ଚିହ୍ନଟ ହୋଇଛି । ଏବେ ସୁଦ୍ଧା ୧୬ ଶହ କେଜିରୁ ଅଧିକ ସୁନାର ସନ୍ଧାନ ମିଳିଛି । ଏଥିସହ ହିଲାଙ୍ଗ ଅଂଚଳରେ ଲୁହାପଥର ଗଚ୍ଛିତ ରହିଛି । ବିଗତ ଦିନରେ ସେଠାରୁ ଲୁହାପଥର ଚୋରାଚାଲାଣ ବେଳେ ଅଭିଯୁକ୍ତଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏବେ ହେଲିକପ୍ଟର ଯୋଗେ ସୁନାଖଣି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣିଜ ପଦାର୍ଥର ଅନୁସନ୍ଧାନ ଚାଲିଛି । ଦେବଗଡ଼ ସମେତ ପଡୋଶୀ ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣିଜ ସମ୍ପଦର ଅନୁସନ୍ଧାନ ପାଇଁ ଭାରତ ସରକାର ଏକ ସଂସ୍ଥାକୁ ନିୟୋଜିତ କରିଛନ୍ତି । ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବାପରେ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଂଚଳକୁ ହେଲିକପ୍ଟରରେ ଯାଇ ଖଣିଜ ସମ୍ପଦର ଅନୁସନ୍ଧାନ କରାଯିବ । ଏନେଇ ଦେବଗଡ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *