ଆସିଲେ ନୂଆ ରାଜ୍ୟପାଳ, ଆସନ୍ତାକାଲି ଶପଥ ସମାରୋହ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ। ମନୋନୀତ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ମଧ୍ୟ ପ୍ରଦାନ କରାଯାଇଥିଲା।

ଜାନୁଆରୀ ୩ (ଶୁକ୍ରବାର) ପୂର୍ବାହ୍ନ ୧୦ଟା ୧୫ମିନିଟରେ ରାଜଭବନର ନୂଆ ଅଭିଷେକ ହଲରେ ହରିବାବୁଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସରକାର ଏକ ବିବୃତିରେ କହିଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ହରିବାବୁଙ୍କୁ ଶପଥ ପାଠ କରାଇବେ। ନବନିର୍ବାଚିତ ରାଜ୍ୟପାଳ ପୁରୀ ରାଜଭବନରେ ରାତି କାଟି ଆସନ୍ତାକାଲି ସକାଳେ ରାଜଧାନୀ ଫେରିବେ।

ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ଗତ ଡିସେମ୍ବର ୨୭ ତାରିଖରେ କେ ହରିବାବୁଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟପାଳ ହେବା ପୂର୍ବରୁ ହରିବାବୁ ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆସନରୁ ଲୋକସଭା ନିର୍ବାଚନ ଜିତିଥିଲେ।
ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *