ନୂଆବର୍ଷରେ ଦଳର ମଙ୍ଗୁଆଳକୁ ନେଇ ବରିଷ୍ଠ କଂଗ୍ରେସ ନେତା କଲେ ବଡ଼ ଘୋଷଣା

ଭୁବନେଶ୍ୱର: ନୂଆବର୍ଷ ୨୦୨୫ର ପ୍ରଥମ ସକାଳକୁ ସ୍ୱାଗତ କରିବା ପାଇଁ ଓଡ଼ିଶା ଜାଗିଉଠିଥିବା ବେଳେ ରାଜ୍ୟରେ କଂଗ୍ରେସ ଦଳ ଉଭୟ ଆହ୍ୱାନ ଓ ଆକାଂକ୍ଷାର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛି । ୨୦୨୫ ଓ ୨୦୨୯ ପରବର୍ତ୍ତୀ ନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ ବରିଷ୍ଠ ନେତା ଜୟଦେବ ଜେନା ଆଶାବାଦୀ ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ଗତ କିଛି ବର୍ଷ ଧରି ପରାଜୟ ସହିବା ସତ୍ତ୍ୱେ କଂଗ୍ରେସ ନେତା ଜୟଦେବ ଜେନା ଦଳର ବିଜୟୀ ଭବିଷ୍ୟତକୁ ନେଇ ଦୃଢ଼ ବିଶ୍ୱାସ ରଖିଛନ୍ତି।
ସେ କହିଛନ୍ତି, ଜାନୁଆରୀ ମାସରେ ନୂଆ ପିସିସି ସଭାପତି ଦାୟିତ୍ୱ ନେବେ । ଏକ ମାସରୁ ଦୁଇ ମାସ ଭିତରେ ରାଜ୍ୟ କଂଗ୍ରେସ ସଂଗଠିତ ହେବ । କଂଗ୍ରେସ କର୍ମୀ ସଂଗଠିତ ହୋଇ ମଇଦାନକୁ ଲଢେ଼ଇ ପାଇଁ ଓହ୍ଲାଇବ ବୋଲି ସୂଚନା ଦେଲେ ଜୟଦେବ ଜେନା । ପିସିସି ସଭାପତି ଦୌଡ଼ରେ ୪ ଜଣ କଂଗ୍ରେସ ନେତା ଥିବା ସୂଚନା ଦେଇଛନ୍ତି ଜୟଦେବ ଜେନା ।
କଂଗ୍ରେସ ହାଇକାମଣ୍ଡ ସବୁ ଜାଣିଛନ୍ତି, ଯିଏ ପାରିବେ, ତାଙ୍କୁ ପିସିସି ଦାୟିତ୍ଵ ଦିଆଯିବ । ଓଡ଼ିଶାରେ ବିଜେଡି ପ୍ରତ୍ୟାକ୍ଷିତ । ବିଜେପି ଶାସନ କରିବାରେ ବିଫଳ । ତେଣୁ ଓଡ଼ିଶା ପାଇଁ କଂଗ୍ରେସ ବିକଳ୍ପ ବୋଲି ଜୟଦେବ କହିଛନ୍ତି । ରାଜ୍ୟ କଂଗ୍ରେସର ଯିଏ ଦାୟିତ୍ଵ ନିଅନ୍ତି ତାଙ୍କ ନେତୃତ୍ୱରେ ଦଳ ଯେତେବେଳେ ପରାଜିତ ହୁଏ । ସେତେବେଳେ କଂଗ୍ରେସ କର୍ମୀ ତାଙ୍କ ବିରୋଧରେ ଏକଜୁଟ ହୁଅନ୍ତି, ନୂଆ ନେତୃତ୍ଵ ପାଇଁ । ଏଇଟା କଂଗ୍ରେସର ରୋଗ । ସେ ରୋଗ ଦୂରୀକରଣ ହେଇ ଯାଇଛି । ରାହୁଲ ଗାନ୍ଧୀ ଏବଂ ମଲ୍ଲିକାରଜୁନ ଖଡ଼ଗେ ନିଷ୍ପତ୍ତି ନେଇ ସାରିଛନ୍ତି ।
କଂଗ୍ରେସ ନେତାଙ୍କୁ ଚେତାବନୀ ଦିଆଯାଇଛି ଏକଜୁଟ ହୋଇ ଲଢ଼େଇ କରିବାକୁ ବୋଲି ସେ କହିଛନ୍ତି । ଯାହାକୁ ରାଜ୍ୟ କଂଗ୍ରେସର ମଙ୍ଗୁଆଲ ଭାବେ ଦାୟିତ୍ଵ ଦେବେ ତାଙ୍କ ସହିତ ଦଳୀୟ ନେତା ରହିବେ । ରାହୁଲ ଗାନ୍ଧି, ସୋନିଆ ଗାନ୍ଧୀ, ମଲ୍ଲିକାରଜୁନ ଖଡ଼ଗେ, ବେନୁଗୋପଲ ଓଡ଼ିଶା କଂଗ୍ରେସ ବାବଦରେ ଟିକନିଖ ଖବର ରଖିଛନ୍ତି । କାହିଁକି ବିପର୍ଯ୍ୟୟ ହେଉଛି, କାହିଁକି ଦଳ ହାରୁଛି । କଂଗ୍ରେସ ହାଇକାମଣ୍ଡ ସବୁ ଜାଣିଛନ୍ତି ବୋଲି ଜୟଦେବ ଜେନା କହିଛନ୍ତି । ଏହାସହ ଯିଏ ଦଳ ବିରୋଧୀ କାମ କରିବ, ତାଙ୍କ ବିରୋଧରେ ସିଧାସଳଖ ଆକ୍ସନ ନିଆଯିବ ବୋଲି ସେ କହିଛନ୍ତି ।
ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପାଇଁ ନୂଆ ସଭାପତି ନିଯୁକ୍ତ କରିବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ବିଫଳତାକୁ ଆଧାର କରି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଜଣାପଡ଼ିଛି । ତେବେ ଜୟଦେବ ଜେନାଙ୍କ ବୟାନକୁ ନେଇ ବିଜେଡି କିମ୍ବା ବିଜେପି ପ୍ରତିକ୍ରିୟା ରଖିନାହିଁ ।