ମୃତ୍ୟୁ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମିଳୁଥିଲା ଏହି ସୁବିଧା ଓ ପେନସନ, ଜାଣନ୍ତୁ ଏବେ କିଏ ପାଇବ ?
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମଧ୍ୟ ତାଙ୍କୁ ଅନେକ ସୁବିଧା ମିଳୁଥିଲା । ତାଙ୍କୁ ମାସିକ ୨୦ ହଜାର ଟଙ୍କା ପେନସନ୍ ମିଳୁଥିଲା। ତାଙ୍କ ମୃତ୍ୟୁ ପରେ ଏବେ କିଏ ପାଇବ ଏହି ପେନସନ ? ଏଥିସହ ତାଙ୍କ ମୃତ୍ୟୁ ପରେ ତାଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ କି?
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଡ. ମନମୋହନ ସିଂହଙ୍କୁ ଲୁଟିୟନ୍ସ ଜୋନର ମୋତିଲାଲ ଲାଲ ନେହେରୁ ରୋଡରେ ୩ ନମ୍ବର ବଙ୍ଗଳା ମିଳିଥିଲା । ପ୍ରଥମ ପାଞ୍ଚ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସୁବିଧା ମିଳିଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ସୁବିଧା ବଦଳିଯାଇଛି। ପଦରୁ ହଟିବା ପରେ ପ୍ରଥମ ଏକ ବର୍ଷ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ମିଳିଥିଲା । ଏହାପରେ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଉଛି। ଏହାବ୍ୟତୀତ କ୍ୟାବିନେଟ ମନ୍ତ୍ରୀଙ୍କ ସମାନ ସୁବିଧା, ମାସିକ ୨୦ ହଜାର ପେନସନ, ଲୁଟିୟନ୍ସ ଜୋନରେ ଆଜୀବନ ରହିବା, ମାଗଣା ଚିକିତ୍ସା ସୁବିଧା, ବର୍ଷକୁ ୬ଟି ଘରୋଇ ବିମାନ ଟିକେଟ, ମାଗଣା ରେଳ ଯାତ୍ରା, ମାଗଣା ବିଜୁଳି ଓ ପାଣି ଏବଂ ୫ ବର୍ଷ ପରେ ବ୍ୟକ୍ତିଗତ ସହାୟକ ଓ ପିଅନ ମିଳୁଛି। ଏହାବ୍ୟତୀତ ଅଫିସ ଖର୍ଚ୍ଚ ପାଇଁ ମଧ୍ୟ ୬ ହଜାର ଟଙ୍କା ମିଳୁଥିଲା।
ତାଙ୍କ ପରିବାରରେ ପତ୍ନୀ ଓ ତିନି ଝିଅ ଅଛନ୍ତି। ଏଭଳି ପରିସ୍ଥିତିରେ ସେମାନେ ଯେଉଁ ସୁବିଧା ପାଇବେ ତାହା ପାଇବା ଜାରି ରହିବ। ମନମୋହନ ସିଂହଙ୍କ ପତ୍ନୀ ଗୁରଶରଣ କୌରଙ୍କୁ ମାସିକ ୨୦ ହଜାର ଟଙ୍କା ପେନସନ, ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା, ରେଳବାଇରେ ମାଗଣା ଯାତ୍ରା ଏବଂ ବିମାନରେ ମାଗଣା ଯାତ୍ରା ମିଳିବ।
