ବର୍ଷା ପାଇଁ ନଷ୍ଟ ହୋଇଛି ଫସଲ, ଚାଷୀଙ୍କୁ ସରକାର ଦେଲେ ବଡ଼ ଆଶ୍ୱାସନା

ଭୁବନେଶ୍ୱର: ନିକଟରେ ବର୍ଷାରେ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନେଇ ଚାଷୀମାନେ ଚିନ୍ତିତ । ଏପରି ସ୍ଥିତି ଫସଲ ବୀମା ଅଧୀନରେ ଚାଷୀମାନେ ସୁରକ୍ଷିତ ଏବଂ ରାଜ୍ୟ ସରକାର ଖୁବ୍ ଶୀଘ୍ର ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବେ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି। ଖୁବଶୀଘ୍ର ଏକ ସ୍ୱତନ୍ତ୍ର କମିଟି ଫସଲ କ୍ଷୟକ୍ଷତି ଆକଳନ କରିବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୀମା କଂପାନିଗୁଡ଼ିକ ନିଜ ଦାୟିତ୍ୱ ନିର୍ବାହ କରିବା ପାଇଁ ତଦାରଖ କରାଯାଉଛି। ସମସ୍ତ ଫସଲ ନଷ୍ଟ ହୋଇନାହିଁ, କିନ୍ତୁ ଉନ୍ନତମାନର ଧାନ ଫସଲ ଆଣିଥିବା ଚାଷୀଙ୍କୁ ୮୦୦ ଟଙ୍କା ବୋନସ୍ ମିଳିବ।
ନିକଟରେ ଲଗାଣ ବର୍ଷା ଯୋଗୁଁ ଅନେକ ଫସଲ ପ୍ରଭାବିତ ହୋଇଛି। ସମବାୟ ସମିତି ପକ୍ଷରୁ ସମସ୍ତ ଚାଷୀଙ୍କ ଫସଲର ବୀମା କରାଯାଇଛି। ଗଣମାଧ୍ୟମ ଜରିଆରେ କୃଷକମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ସେମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି।
ନିର୍ଦ୍ଧାରିତ ଫସଲ ବୀମା ପଲିସିରେ ନାମ ପଞ୍ଜୀକରଣ କରିବାକୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏକ କମିଟି ଚାଷୀଙ୍କ ନିକଟରେ ପହଞ୍ଚି ସର୍ଭେ କରିବ। ସର୍ଭେ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବ।
ସୂଚନାଯୋଗ୍ୟ, ପ୍ରତିକୂଳ ପାଣିପାଗ ଯୋଗୁଁ ସମସ୍ୟା ଉପୁଜିଥିଲେ ମଧ୍ୟ ଖୁବ୍ ଶୀଘ୍ର ସମସ୍ତ ଧାନ ଫସଲ କିଣାଯିବ ବୋଲି ଓଡ଼ିଶା ସରକାର ମଙ୍ଗଳବାର କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରବଳ ବର୍ଷାରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି, ତଥାପି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଶ୍ଚିତ କରିଛନ୍ତି ଯେ ଯଦିଓ ଏହା ଉପଯୁକ୍ତ ହାରାହାରି ଗୁଣବତ୍ତା (ଏଫ୍ଏକ୍ୟୁ) ମାନଦଣ୍ଡ ପୂରଣ କରେ ନାହିଁ ତେବେ ସରକାର ଏହାକୁ କିଣିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସହାୟତା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ଆସିବ ଓ ଯିବ । ଓଡ଼ିଶା ସରକାର ଚାଷୀଙ୍କ ସହ ଠିଆ ହୋଇ ଫସଲ ହାନିର ଭରଣା କରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।