କେଜ୍ରିଓ୍ୱାଲଙ୍କ ଦାବି, ଖୁବଶୀଘ୍ର ଏକ ଫେକ୍ ମାମଲାରେ ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ନୂଆ ଯୋଜନାର ଶୁଭାରମ୍ଭ ଓ ରାଜନୈତିକ ବୟାନବାଜି ଜୋରସୋରରେ ଚାଲିଛି। ମହିଳା ସମ୍ମାନ ଯୋଜନା ଓ ସଞ୍ଜୀବନୀ ଯୋଜନା ଭଳି କଲ୍ୟାଣକାରୀ ଯୋଜନା ଘୋଷଣାକୁ ନେଇ କିଛି ଲୋକ ଅସନ୍ତୁଷ୍ଟ ଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଖୁବ୍ ଶୀଘ୍ର ଏକ ଫେକ୍ ମାମଲାରେ ଗିରଫ କରାଯିବ ବୋଲି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ କେଜ୍ରିୱାଲ ଏହା ମଧ୍ୟ ଦାବି କରିଛନ୍ତି ଯେ ଆପର ଶାସନର ଏଜେଣ୍ଡାକୁ ବାଧାଦେବା ପାଇଁ ଆପ୍ ନେତାଙ୍କ ଉପରେ ଚଢ଼ାଉ କରାଯିବ।
ମହିଳା ସମ୍ମାନ ଯୋଜନା ଓ ସଞ୍ଜୀବନୀ ଯୋଜନାକୁ ନେଇ କିଛି ଲୋକ ଭୟଭୀତ ଅଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଏକ ମନଗଢ଼ା ମାମଲାରେ ଆତିଶୀଙ୍କୁ ଗିରଫ କରିବାକୁ ସେମାନେ ଯୋଜନା କରିଛନ୍ତି। ଏହା ପୂର୍ବରୁ ଆପର ବରିଷ୍ଠ ନେତାଙ୍କ ଉପରେ ଚଢ଼ାଉ କରାଯିବ ବୋଲି ଏକ୍ସରେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।
ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ମହିଳା ଓ ବୟସ୍କଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛି। ମହିଳା ସମ୍ମାନ ଯୋଜନା ଅଧୀନରେ ଯୋଗ୍ୟ ମହିଳାମାନଙ୍କୁ ମହାରାଷ୍ଟ୍ରର ଲାଡଲି ବେହନା ଯୋଜନା ପରି ମାସିକ ୧ ହଜାର ଟଙ୍କା ଭତ୍ତା ମିଳିବ । ଆପ୍ ସରକାର ପୁନର୍ବାର ନିର୍ବାଚିତ ହେଲେ ଏହି ରାଶିକୁ ୨୧୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି।
ସଞ୍ଜୀବନୀ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସର ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି । ଏହି ଯୋଜନାରେ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ବରିଷ୍ଠ ନାଗରିକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ।
