ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଆରିଫ ମହମ୍ମଦ ଖାନ ହେଲେ ବିହାରର ନୂଆ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରଘୁବର ଦାସଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ରଘୁବର ଦାସଙ୍କ ସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡଃ ହରିବାବୁ କମ୍ଭାମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦେଇଛନ୍ତି। ଡ. କମ୍ଭାମପତି ମିଜୋରାମର ରାଜ୍ୟପାଳ ଥିଲେ।
ରଘୁବର ଦାସ୨୦୨୩ ଅକ୍ଟୋବର ୧୮ତାରିଖରେ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇଥିଲେ । ରଘୁବର ଦାସ ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବୁଲି ସରକାରୀ ଯୋଜନାର କାର୍ଯ୍ୟକାରିତା ସଠିକ୍ ଭାବେ ହୋଇଛି କି ନାହିଁ ସମୀକ୍ଷା କରିଥିଲେ।
ଅନ୍ୟପଟେ ପୂର୍ବତନ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଆରିଫ ମହମ୍ମଦ ଖାନଙ୍କୁ ବିହାରର ରାଜ୍ୟପାଳ ଏବଂ ରାଜେନ୍ଦ୍ର ଅର୍ଲେକରଙ୍କୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।
ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ପୂର୍ବତନ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ୧୯୮୪ ବ୍ୟାଚର ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ୨୦୧୯ ଅଗଷ୍ଟ ୨୨ତାରିଖରେ ତାଙ୍କୁ କେନ୍ଦ୍ର ଗୃହ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ଅଜୟ କୁମାର ଭଲ୍ଲା ୫ ବର୍ଷ ଅର୍ଥାତ୍ ଅଗଷ୍ଟ ୨୨, ୨୦୨୪ ପର୍ଯ୍ୟନ୍ତ ଭାରତର ଗୃହ ସଚିବ ଭାବେ କାର୍ଯ୍ୟ କରିଛନ୍ତି।
ଆରିଫ ମହମ୍ମଦ ଖାନ ୧୯୫୧ ମସିହା ନଭେମ୍ବର ୧୮ ତାରିଖରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଜନ୍ମଗ୍ରହଣ କରିଥିଲେ ଏବଂ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଥିଲେ । ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଶେଷ କରିଥିଲେ ଏବଂ ୨୦୧୯ ରୁ କେରଳର ରାଜ୍ୟପାଳ ଅଛନ୍ତି ।
ଶାହାବାନୋ ମାମଲାରେ ରାଜୀବ ଗାନ୍ଧୀଙ୍କ ଆଭିମୁଖ୍ୟରେ ଅସନ୍ତୁଷ୍ଟ ହୋଇ ଆରିଫ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଖାଲି ସେତିକି ନୁହେଁ, ସେ ମୁସଲିମ ପର୍ସନାଲ ଲ’ ବୋର୍ଡ ବିରୋଧରେ ମଧ୍ୟ ରହିଛନ୍ତି। ୧୯୮୦ ମସିହାରେ ସେ କାନପୁରରୁ ସପ୍ତମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଅଷ୍ଟମ, ନବମ ଓ ଦ୍ୱାଦଶ ଲୋକ ସଭାରେ ସେ ବହରାଇଚ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବରେ ପୁନର୍ବାର ନିର୍ବାଚିତ ହୋଇଥିଲେ ।
ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଭିକେ ସିଂହ ଜଣେ ପୂର୍ବତନ ସେନାମୁଖ୍ୟ। ସେ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଧ୍ୟ। ଖାସ୍ କଥା ହେଉଛି, ସେନାରେ ୪୨ ବର୍ଷ ରହିବା ସମୟରେ ସେ ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ମଧ୍ୟ ଭାଗ ନେଇଥିଲେ। ୧୯୮୭ମସିହାରେ ଶ୍ରୀଲଙ୍କାରେ ଏକ ଶାନ୍ତି ରକ୍ଷା ବାହିନୀର ଅଂଶ ଭାବରେ ସେ ଏଲଟିଟିଇ ବିରୋଧରେ ଲଢ଼େଇ କରିଥିଲେ ।
ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର୨୦୨୩ ଫେବ୍ରୁଆରି ୧୪ରେ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ସେ ଛୋଟ ବେଳୁ ଆରଏସଏସ ସହ ଜଡିତ ଥିଲେ । ସେ ୧୯୮୯ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଗୋଆରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଗୋଆ ବିଧାନସଭାର ପୂର୍ବତନ ବାଚସ୍ପତି ମଧ୍ୟ ଥିଲେ । ଖାଲି ସେତିକି ନୁହେଁ, ଅରଲେକର ହିମାଚଳର ରାଜ୍ୟପାଳ ମଧ୍ୟ ରହିସାରିଛନ୍ତି।