ପ୍ରତାପ ଷଡ଼ଙ୍ଗୀଙ୍କୁ ଜୟା ବଚ୍ଚନଙ୍କ ଟାର୍ଗେଟ; ଷଡ଼ଙ୍ଗୀଜୀଙ୍କ ଅଭିନୟ ପାଇଁ ଅସ୍କାର ପୁରସ୍କାର ମିଳିବା ଦରକାର

ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ସଂସଦରେ ଗତକାଲି ଧକ୍କା କାଣ୍ଡକୁ ନେଇ ଜୟା ବଚ୍ଚନ କହିଛନ୍ତି ଯେ, କ୍ୟାମେରା ଆଗରେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଯେଉଁଭଳି ଭାବେ ଆହତର ଅଭିନୟ କରିଛନ୍ତି, ସେମାନଙ୍କୁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ମିଳିବା ଦରକାର ।

ବିଜେପି ଆଣିଥିବା ଅଭିଯୋଗ ଉପରେ ଜୟା ବଚ୍ଚନ କହିଛନ୍ତି, “ଷଡ଼ଙ୍ଗୀଜୀ କେବଳ ଡ୍ରାମା କରୁଛନ୍ତି। ସେ ତାଙ୍କ ଜୀବନରେ ଓଡ଼ିଶାରେ କ’ଣ କ’ଣ ସବୁ କରିଥିଲେ? ସେକଥା ସମସ୍ତଙ୍କୁ ଜଣା। ଆମେ ଗୃହକୁ ଯାଉଥିଲୁ। କିନ୍ତୁ ସେମାନେ ଆମ ବାଟ ପାହାଚ ପାଖରେ ଅଟକାଇଥିଲେ। ଏପରି ସ୍ଥିତିରେ କାହା ଦେହରେ କିଛି ଧକ୍କା ଲାଗିବା ସ୍ୱାଭାବିକ ଘଟଣା। ଷଡ଼ଙ୍ଗୀ ଜୀ ଓ ରାଜପୁତ ଜୀ ଓ ନାଗାଲ୍ୟାଣ୍ଡର ମହିଳା ସାଂସଦ ଜଣଙ୍କ ଚମତ୍କାର ଅଭିନୟ କରିଛନ୍ତି। ମୁଁ ମୋ କ୍ୟାରିୟରରେ ଯେତିକି ଅଭିନୟ କରି ନାହିଁ, ସେମାନେ ତା’ ଠାରୁ ଭଲ କରିଛନ୍ତି। ସେମାନେ ନିଜର ଅଭିନୟ ପାଇଁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ପାଇବାକୁ ଯୋଗ୍ୟ।”

ପ୍ରକାଶ ଯେ, ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁକେଶ ରାଜପୁତ ମଧ୍ୟ ଗତକାଲି ସଂସଦରେ ହୋଇଥିବା ଦଙ୍ଗାରେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଧକ୍କା ମାରି ଆହତ କରିଥିବା ବିଜେପି ଅଭିଯୋଗ କରିଛି।

Leave a Reply

Your email address will not be published. Required fields are marked *