ଏଣିକି ସ୍ୱୟଂଚାଳିତ ହେବ ନରାଜ ଓ ଯୋବ୍ରା ବ୍ୟାରେଜ୍ ଗେଟ୍; ସୁଇଚ୍ ବଟନ ଦ୍ଵାରା ହେବ କାମ

ଏଣିକି ସ୍ୱୟଂଚାଳିତ ଉପାୟରେ ଚେନ୍ ଟାଣି ନରାଜ ଓ ଯୋବ୍ରା ବ୍ୟାରେଜ୍ ଗେଟ୍ ଉଠାଯିବ । ଏଥିପାଇଁ କୌଣସି କର୍ମଚାରୀର ଆବଶ୍ୟକତା ରହିବ ନାହିଁ । କାର୍ଯ୍ୟାଳୟରେ ବସି ସୁଇଚ୍ ବଟନ ଦ୍ୱାରା ଏହି ଦୁଇଟି ବ୍ୟାରେଜ୍ ଗେଟ୍ ପରିଚାଳନା କରାଯିବ । କେତୋଟି ଗେଟ୍ କେତେ ଫୁଟ୍ ଲେଖାଏଁ ଉଠିବ ତାହା କାର୍ଯ୍ୟାଳୟ କଣ୍ଟ୍ରୋଲ୍ ରୁମରୁ କରାଯାଇପାରିବ ।ଏଥିପାଇଁ ଉଭୟ ବ୍ୟାରେଜ୍ରେ ୧୪୫ଟି ହାଇଫ୍ରିକ୍ୟୁଏନ୍ସି କ୍ୟାମେରା ଲଗାଯାଉଛି । ଏହି କାମ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।
ସ୍ୱୟଂଚାଳିତ ଗେଟ୍ ବ୍ୟବସ୍ଥା ଦ୍ୱାରା ବନ୍ୟା ପରିଚାଳନାରେ ମଧ୍ୟ ସହଜ ହେବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ମାଛ ମାରିବା ପାଇଁ ଅନେକ ସମୟରେ ଯୋବ୍ରାର ଗେଟକୁ ମନମୁଖି ଭାବେ କିଛି ଦୁର୍ବୃତ୍ତ ଉଠାଇ ଦେଉଥିଲେ । କିନ୍ତୁ ସ୍ୱୟଂଚାଳିତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆଉ ମନମୁଖି ଭାବେ ଗେଟ୍ ଉଠାଯାଇପାରିବ ନାହିଁ । ବ୍ୟାରେଜ୍ ନିର୍ମାଣ ସମୟରୁ ଗେଟ୍ ଉଠାଇବା କାମ ବ୍ୟାରେଜ କର୍ମଚାରୀଙ୍କ ଦ୍ୱାରା କରାଯାଇ ଆସୁଅଛି । ଉପରମୁଣ୍ଡରେ ପାଣିର ପ୍ରବାହକୁ ଦେଖି ଏହି ବ୍ୟାରେଜ୍ରେ କେତୋଟି ଗେଟ୍ ଉଠାଯିବ ତାହା ସ୍ଥିର ହୋଇଥାଏ । ସେହି ଅନୁସାରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ବ୍ୟାରେଜ୍ ନିକଟକୁ ଯାଇ ଚେନ୍ ଟାଣି ଗେଟ୍ ଉଠାଇ ଥାଆନ୍ତି । ଏହି ସମୟରେ ଜଣେ କର୍ମଚାରୀ ବ୍ୟାରେଜ୍ ତଳକୁ ଖସି ଗେଟ୍ କେତେ ଫୁଟ୍ ଉଠିବ ତାହା ଜଣାଇ ଥାଆନ୍ତି । ସେହି ଅନୁସାରେ ଉପରେ ଥିବା କର୍ମଚାରୀମାନେ ଚେନ୍ ଟାଣି ଆବଶ୍ୟକତା ଅନୁଯାୟୀ ଗେଟ୍ ଉପରକୁ ଉଠାଇଥାନ୍ତି । ଏଥିପାଇଁ ଗେଟ୍ ଖୋଲିବାରେ ଅନେକ ସମୟ ଲାଗି ଯାଇଥାଏ ।
ବିଶେଷକରି ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଗେଟ୍ ଖୋଲିବା କାର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ପ୍ରତି ଗେଟ୍କୁ ଗୋଟିଗୋଟି ଖୋଲାଗଲେ ଅତିକମ୍ରେ ୪ରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗି ଯାଇଥାଏ । କିନ୍ତୁ ଏବେ ଏହି ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାରେଜ୍ ଗେଟ୍ ସବୁକୁ ମାନୁଆଲି ପରିଚାଳନା କରାଯିବ ନାହିଁ । ଏଥିପାଇଁ ଯୋବ୍ରା ବ୍ୟାରେଜ୍ରେ ଥିବା ୯୫ଟି ଗେଟ୍ରେ ୯୫ଟି କ୍ୟାମେରା ଲଗାଯିବ । ସେହିପରି ନରାଜ୍ର ବ୍ୟାରେଜ୍ରେ ଥିବା ୪୬ଟି ଗେଟ୍ରେ ୪୬ଟି କ୍ୟାମେରା ଲଗାଯିବ । ଅର୍ଥାତ୍ ପ୍ରତି ଗେଟ୍ରେ ଗୋଟିଏ ଲେଖାଏଁ କ୍ୟାମେରା ଲାଗିବ । ବ୍ୟାରେଜ୍ର ଉଭୟ ପାଶ୍ୱର୍ରେ ଆଉ ଦୁଇଟି ଲେଖାଏଁ ୪ଟି କ୍ୟାମେରା ଲଗାଯିବ । ଏହିପରି ମୋଟ୍ ୧୪୫ଟି କ୍ୟାମେରା ଗେଟ୍ର ତଳମୁଣ୍ଡରେ ଲାଗିବ । ଫଳରେ ତଳୁ କ୍ୟାମେରା ଜରିଆରେ ଗେଟ୍ର ପରିଚାଳନା କରାଯିବ । ଏହିସବୁ କ୍ୟାମେରା ବ୍ୟାରେଜ୍ କାର୍ଯ୍ୟାଳୟ ସହ ସଂଯୁକ୍ତ କରାଯିବ ।
ଉପରମୁଣ୍ଡରେ କେତେ ବନ୍ୟାଜଳ ଆସିଲା ଏବଂ ଏଥିରୁ କେତେଜଳ ଛଡ଼ାଯିବ, କେତେଜଳ କେନାଲ୍ ଜରିଆରେ ଛଡ଼ାଯିବ ତାହାର ହିସାବ କରାଯିବା ପରେ ଆବଶ୍ୟକତା ଆଧାରରେ ଗେଟ୍ ଖୋଲାଯାଇ ପରିଚାଳନା କରାଯିବ । ଏହି କାମ ସମୟ ସାପେକ୍ଷ ମଧ୍ୟ ହେବ । ବନ୍ୟା ଆସିବା ସମୟରେ ଯୋବ୍ରା ବ୍ୟାରେଜ୍ର ସମସ୍ତ ଗେଟକୁ ମଧ୍ୟ ଖୋଲିବାକୁ ପଡ଼ିଥାଏ । ଏଥିପାଇଁ ପୂର୍ବରୁ ଯେଉଁ ଅଧିକ ସମୟର ଆବଶ୍ୟକତା ପଡ଼ୁଥିଲା ତାହା ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ହ୍ରାସ ଘଟିବ । ଗୋଟେ ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଗେଟ୍ ଏକକାଳୀନ ଖୋଲାଯାଇ ପାରିବ । ସେହିପରି ନୂଆ ବ୍ୟବସ୍ଥା ଦ୍ୱାରା ମାଛ ମାରିବା ପାଇଁ ମନମୁଖି ଭାବେ ଗେଟ୍ ଉଠା ଉପରେ ମଧ୍ୟ ନିୟନ୍ତ୍ରଣ ଆସିପାରିବ । ଅନେକ ସମୟରେ ମାଛ ମାରିବା ପାଇଁ କିଛି ବ୍ୟକ୍ତି ଯୋବ୍ରା ଗେଟକୁ ମନମୁଖି ଭାବେ ଖୋଲି ଦେଇଥାନ୍ତି । ଏହାଦ୍ୱାରା ଉପର ମୁଣ୍ଡରୁ ପାଣି ହ୍ରାସ ଘଟିବା ସହ କେନାଲରେ ମଧ୍ୟ ପାଣି ଯିବା ବନ୍ଦ ହୋଇଯାଏ । ଏହିଭଳି କାର୍ଯ୍ୟ ଅନେକ ସମୟରେ ବ୍ୟାରେଜ୍ ଅଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। କିନ୍ତୁ ଏଣିକି ମନମୁଖି ଭାବେ କେହି ଗେଟ୍ ଖୋଲିପାରିବେ ନାହିଁ । ଯଦି ବି କେହି ଗେଟ୍ ପାଖକୁ ବି ଚେଷ୍ଟା ବି କରନ୍ତି କ୍ୟାମେରା ଦ୍ୱାରା ଧରାପଡ଼ିଯିବେ । ଫଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି କଟକ ବ୍ୟାରେଜ୍ ଡିଭିଜନ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।