ସିନେମାଘରେ ଓଡ଼ିଆ ଫିଲ୍ମ ‘ପରବ୍’, ପୁଣିଥରେ ଏକାଠି ସିଦ୍ଧାନ୍ତ-ଅନୁଙ୍କ ଯୋଡି

ଆଜି ସିନେମାଘରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ପରବ୍’। ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ହୋଇଛି ଏହି ଓଡ଼ିଆ ଚଳଚ୍ଚିତ୍ର। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ ରହି ଯାଇଥିବା ଓଡ଼ିଆମାନଙ୍କ ଦୁଃଖ, ଯନ୍ତ୍ରଣା ସମେତ ସୀମାନ୍ତରେ ଦୁଇ ରାଜ୍ୟ ଭିତରେ ଲାଗି ରହିଥିବା ବିବାଦକୁ ନେଇ ଗଢି ଉଠିଛି ଏହି ଚଳଚ୍ଚିତ୍ରର କାହାଣୀ।
ଜେପି ମୋସନ ପିକ୍ଚର୍ସ ବ୍ୟାନର ନିବେଦିତ ତଥା ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ର ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଏ ଚଳଚ୍ଚିତ୍ରରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ପୁଣିଥରେ ଦର୍ଶକ ପରଦାରେ ଦେଖିବାକୁ ପାଇବେ। ଏଥିସହ ଅଭିନେତା ଦୀପନ୍ୱିତ ଦାସ ମହାପାତ୍ର, ସୂର୍ଯ୍ୟମୟୀ ମହାପାତ୍ର, ବରିଷ୍ଠ ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସଙ୍କ ସମେତ ଅନେକ ଆଗଧାଡ଼ିର କଳାକାରମାନେ ଅଭିନୟ କରିଛନ୍ତି। ଶୁକ୍ରବାର ଓଡ଼ିଆ ଭାଷାରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିବା ବେଳେ ଆସନ୍ତା ଜାନୁଆରି ୨ରେ ଅନ୍ୟ ଦୁଇ ଭାଷାରେ ରିଲିଜ୍ ହେବ।