୨୨ ବର୍ଷ ପରେ ସ୍ବଦେଶ ଫେରିଲେ ହମିଦା ବାନୋ, ବଖାଣିଲେ ପାକିସ୍ତାନରେ ବିତିଥିବା ଲୋମଟାଙ୍କୁରା କାହାଣୀ

ଭୁଲ ବଶତଃ ଭାରତରୁ ପଡୋଶୀ ଶତ୍ରୁ ଦେଶ ପାକିସ୍ତାନରେ ପହଞ୍ଚି ବହୁତ ବର୍ଷ ଧରି କଷ୍ଟରେ ଜୀବନ ଅତିବାହିତ କରିଥିବା କାହାଣୀ ଆମେ ଶୁଣିଆସୁଛେ । ଯାହା ଖୁବ କଷ୍ଟଦାୟକ । ଏଭଳି ଘଟଣା ଆମେ ସିନେମାରେ ମଧ୍ୟ ଦେଖିଚେ । ଏଭଳି ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେ କି ପଡୋଶୀ ଶତ୍ରୁ ଦେଶରେ ୨୨ ବର୍ଷ କାଳ ଜୀବନ କାଟି ଏବେ ଭାରତ ଫେରିଛନ୍ତି ।

ମୁମ୍ବାଇରେ ଜନ୍ମିତ ହମିଦା ବାନୋ । ଯେ କି, ୨୦୦୨ ମସିହାରେ ଜଣେ ଏଜେଣ୍ଟ୍ ଦୁବାଇରେ ରୋଷେୟା ଚାକିରି କରାଇଦେବାକୁ କହି ତାଙ୍କୁ ନେଇଥିଲେ। କିନ୍ତୁ ଦୁବାଇ ପରିବର୍ତ୍ତେ ପାକିସ୍ତାନରେ ଛାଡ଼ିଦେଲେ। ଅସହାୟ ହମିଦାଙ୍କ ପାଖରେ ନା ଥିଲା କୌଣସି ବୈଧ ଡକ୍ୟୁମେଣ୍ଟ୍ ନା ଥିଲା ସାହାଯ୍ୟର ଆଶା । ଭାରତରେ ୪ ପିଲାଙ୍କୁ ଛାଡ଼ି ପେଟ ପାଇଁ ବାହାରକୁ ଯାଇଥିବା ବିଧବା ମହିଳା ଜଣକ ପାକିସ୍ତାନ ପହଞ୍ଚିବା ପରେ ଭୟରେ ପାକିସ୍ତାନୀ ଅଧିକାରୀଙ୍କୁ ବି ନିଜ ଦୁଃଖ ଜଣାଇପାରିନଥିଲେ । କିଛି ବର୍ଷ ପରେ ସେ କରାଚିରେ ଜଣେ ବ୍ୟକ୍ତିଙ୍କୁ ବିବାହ କରି ରହିଲେ । କିନ୍ତୁ ଦୁର୍ଭାଗ୍ୟ ଦେଖନ୍ତୁ କରୋନା କାଳରେ ଦ୍ବିତୀୟ ସ୍ବାମୀ ମଧ୍ୟ ଆରପାରିକୁ ଚାଲିଗଲେ । ଦୁଃଖର ପାହାଡ଼ ଯେମିତି ୨ ଗୁଣ ବଢିଗଲା ।

୨୦୨୨ ରେ ହମିଦା ବାନୋଙ୍କ ଜୀବନର ଗତି ପରିବର୍ତ୍ତନ କରିଦେଲା ସୋସିଆଲ୍ ମିଡ଼ିଆ । ଏକ ବ୍ଲଗ୍ ଜରିଆରେ ପ୍ରଥମଥର ପାଇଁ ଭାରତରେ ଥିବା ତାଙ୍କ ପିଲାମାନେ ମା’ଙ୍କୁ ଦେଖି ଚିହ୍ନିଥିଲେ ଏବଂ ମା’ପିଲାଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ପିଲାଙ୍କ ସହ କଥା ହୋଇ ମା’ କାନ୍ଦି କାନ୍ଦି କହିଥିଲେ ଯେ ସେ ୨୨ ବର୍ଷ ହେଲାଣି ଇଦ୍ ପାଳିନାହାନ୍ତି । ପ୍ରତିଟି ପର୍ବରେ ସେ ଗୋଟିଏ କୋଣରେ ବସି କାନ୍ଦୁଥିଲେ ଏବଂ ପିଲାଙ୍କୁ ଦେଖାକରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ପାକିସ୍ତାନର ଅଧିକାରୀ ତଥା ନ୍ୟୁଜ୍ ଚ୍ୟାନେଲ୍ ସହ ଆଲୋଚନା ବେଳେ ସେ ଭାରତ ଫେରିବା କଥା ଉଠାଇଥିଲେ ଏବଂ ଶେଷରେ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇଛି ପାକିସ୍ତାନ ପ୍ରଶାସନ । ହମିଦାଙ୍କୁ ୱାଘା ବର୍ଡରରୁ ଭାରତ ପଠାଇବାର ପୁରା ବ୍ୟବସ୍ଥା କରାଗଲା । ମୁମ୍ବାଇରେ ଜନ୍ମିତ ହମିଦା ବାନୋ ମାନବ ତସ୍କରୀର ଶିକାର ହୋଇ ଦୀର୍ଘ ୨୨ ବର୍ଷ କାଳ ପାକିସ୍ତାନରେ ଫସିଥିଲେ । ଏବେ ତାଙ୍କ ଘରବାହୁଡ଼ା ଖବର ପରିବାର ସମେତ ସମ୍ପୁର୍ଣ୍ଣ ଦେଶ ପାଇଁ ଖୁସି ଖବର ନେଇଆସିଛି ।

Leave a Reply

Your email address will not be published. Required fields are marked *