ମଝି ନଦୀରେ ବୁଡ଼ିଗଲା ଡଙ୍ଗା, ୨୫ ମୃତ
ମଝି ନଦୀରେ ବୁଡ଼ିଗଲା ଡଙ୍ଗା। ଏହି ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ କଙ୍ଗୋସ୍ଥିତ ଫିମି ନଦୀରେ। ଏହି ଦୁର୍ଘଟଣାରେ ଅନେକ ଶିଶୁଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ। ଦୁର୍ଘଟଣା ପରେ ନିଖୋଜ ଲୋକଙ୍କୁ ଖୋଜା ଖୋଜି ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଅଧିକାରୀମାନେ ଆଶଙ୍କା କରୁଛନ୍ତି।ଇନଗୋ ନଦୀ କମିଶନର ଡେଭିଡ କାଲେମ୍ବା କହିଛନ୍ତି ଯେ ଡଙ୍ଗାରେ ଅନେକ ଲୋକ ଥିବାରୁ ଏହା ଭାରସାମ୍ୟ ହରାଇ ଥିଲା। ବର୍ତ୍ତମାନ ସୁଦ୍ଧା ୨୫ ଟି ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଞ୍ଚଳର ବାସିନ୍ଦା ଆଲେକ୍ସ ମମ୍ବାମ୍ବା କହିଛନ୍ତି ଯେ ଡଙ୍ଗାରେ ସାମଗ୍ରୀ ଭର୍ତ୍ତି ହୋଇଛି ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅନେକ ପିଲା ମଧ୍ୟ ଅଛନ୍ତି। ସେ କହିଛନ୍ତି ଯେ ଡଙ୍ଗାରେ ଏତେ ସଂଖ୍ୟକ ଯାତ୍ରୀ ଥିଲେ ଯେ ମୃତକଙ୍କ ପ୍ରକୃତ ସଂଖ୍ୟା କହିବା କଷ୍ଟକର।
