ସ୍କୁଲ ଏବେ RBIକୁ ବୋମା ଧମକ

ବିମାନବନ୍ଦର ଓ ସ୍କୁଲ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)କୁ ମିଳିଛି ବୋମା ଧମକ। ଗତକାଲି ଆରବିଆଇର ଅଫିସିଆଲ୍ ୱେବସାଇଟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଇ-ମେଲରେ ଋଷୀୟ ଭାଷାରେ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାର ଧମକ ଲେଖାଯାଇଥିଲା। ଏହି ମାମଲାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।
ଗତ ମାସରେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ କେୟାର ନମ୍ବରରେ ଏକ କଲ ଆସିଥିଲା ଏବଂ ସେ ନିଜକୁ ଲଶ୍କର-ଇ-ତାଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ସେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲେ। ପ୍ରକାଶ ଥାଉକି , ଆଜି ସକାଳୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍କୁଲକୁ ମିଳିଛି ବୋମା ଧମକ । ଏନେଇ ଖବର ପାଇ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫୋନ୍ କଲ୍ ଓ ଇମେଲ୍ ମାଧ୍ୟମରେ ଧମକ ମିଳିଥିବା ସୂଚନା ମିଳିଛି। ସ୍କୁଲ ପରିସରରେ ପୋଲିସ ଓ ଦମକଳବାହିନୀ ପହଞ୍ଚି ଯାଞ୍ଚ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ଯାଞ୍ଚରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନଥିବା ସୂଚନା ରହିଛି।