ଶପଥ ନେବେ ହେମନ୍ତ ସୋରେନ୍
ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ରାଞ୍ଚିର ମୋରାଦାବାଦୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାରୋହରେ ‘ଇଣ୍ଡି ମେଣ୍ଟ’ ର ଆନେକ ବଡ଼ ବଡ଼ ନେତାଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ସାମିଲ ରହିବେ ।

ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଆଜି ୪ଟାରେ ହେମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇବେ ।୪୯ ବର୍ଷୀୟ ସୋରେନ୍ ୪ର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଇଣ୍ଡି ମେଣ୍ଟର ସମସ୍ତ ନବ ନିର୍ବାଚିତ ବିଧାୟକଙ୍କ ସହ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଏନସିପି ପ୍ରମୁଖ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଶିବସେନା ନେତା ଉଦ୍ଧବ ଠାକରେ, ଏସପି ମୁଖ୍ୟ ଅଖିଲେଶ ଯାଦବ, ଆରଜେଡି ଏବଂ ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଏବଂ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁକ୍କୁଙ୍କ ଭଳି ଅନ୍ୟ ନେତା ସାମିଲ ହୋଇପାରନ୍ତି । ଏହି ଶପଥ ଗ୍ରହଣ ସମାରୋହ ପାଇଁ ରାଞ୍ଚି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ଏବଂ ବିଶେଷ ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କହିରଖୁଛୁ ଝାଡ଼ଖଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି ରାଞ୍ଚି ସହରର ସମସ୍ତ ସ୍କୁଲ ନଭେମ୍ବର ୨୮କୁ ବନ୍ଦ ରହିବ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
