ଅଷ୍ଟମ ବେତନ କମିଶନରେ ସରକାରୀ କର୍ମଚାରୀଙ୍କ ଦରମା ୧୮୬% ବୃଦ୍ଧି ପାଇବ, ଜାଣନ୍ତୁ କେତେ ହେବ ଦରମା!

ନୂଆଦିଲ୍ଲୀ: ଅଷ୍ଟମ ବେତନ ଆୟୋଗକୁ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଏହା କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏବେ କିନ୍ତୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି । ୨୦୨୬ ମସିହାରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସରକାର କହିଛନ୍ତି। ଅଷ୍ଟମ ବେତନ ଆୟୋଗର ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟଙ୍କ ନାମ ମଧ୍ୟ ଖୁବଶୀଘ୍ର ଘୋଷଣା କରାଯିବ। ଏହା ପୂର୍ବରୁ ୨୦୧୬ରେ ସପ୍ତମ ବେତନ କମିଶନ ଗଠନ କରାଯାଇଥିଲା। ଅଷ୍ଟମ ବେତନ କମିଶନ ପ୍ରଦାନ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସପ୍ତମ ବେତନ ଆୟୋଗ ୨୦୧୬ରେ କାର୍ଯ୍ୟକାରୀ ହୋଇଥିଲା ଏବଂ ଏହାର କାର୍ଯ୍ୟକାଳ ୨୦୨୬ ପର୍ଯ୍ୟନ୍ତ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

୨୦୨୬ ମସିହାରୁ ଅଷ୍ଟମ ବେତନ କମିଶନ ଲାଗୁ ହେବାକୁ ଯାଉଛି । ଏହାକୁ ଏତେ ଶୀଘ୍ର ଘୋଷଣା କରିବାର କାରଣ ହେଉଛି ପରାମର୍ଶ, ସୁପାରିସ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକୁ ଠିକ୍ ସମୟରେ ପରିଚାଳନା କରାଯାଇପାରିବ । ସେଥିପାଇଁ ଏହାର ଗଠନ ତ୍ୱରାନ୍ୱିତ ହୋଇଛି । ସପ୍ତମ ବେତନ କମିଶନ ଅଧୀନରେ ସରକାରୀ କର୍ମଚାରୀମାନେ ଏପର୍ଯ୍ୟନ୍ତ ଦରମା ପାଉଛନ୍ତି। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଅନେକ ଆଶା ରହିଛି । ଏହା ଅଧୀନରେ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ଓ ଭତ୍ତା ବୃଦ୍ଧି କରିପାରନ୍ତି। ଏହି କମିଶନ ଗଠନର ନିର୍ଦ୍ଦିଷ୍ଟ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।

ଅଷ୍ଟମ ବେତନ କମିଶନ ପାଇଁ ଖୁବ୍ ଶୀଘ୍ର ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆସନ୍ତୁ ଜାଣିବା ଅଷ୍ଟମ ବେତନ ଆୟୋଗ ଆସିବା ଦ୍ୱାରା ଦରମା ଉପରେ କ’ଣ ପ୍ରଭାବ ପଡ଼ିବ। ସର୍ବନିମ୍ନ ମଜୁରି ୩୪,୫୬୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେପଟେ ୧୭,୨୮୦ ଟଙ୍କା+ ଡିଆର ପେନସନ ମିଳିବ ବୋଲି ଆଶା କରାଯାଉଛି । ଅର୍ଥାତ୍ ସର୍ବନିମ୍ନ ମଜୁରି ପ୍ରାୟ ୧୮୬% ବୃଦ୍ଧି ପାଇପାରେ। ପଦୋନ୍ନତି ଓ ଦରମା ବୃଦ୍ଧି ସହିତ ପେନସନ ମଧ୍ୟ ବଢ଼ିପାରେ।

କେନ୍ଦ୍ର ସରକାର ଏକ କମିଶନ ଗଠନ କରନ୍ତି । ଏହାକୁ ବେତନ କମିଶନ କୁହାଯାଏ । ଏଥିରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଦରମା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ସୁପାରିସ କରାଯାଇଛି। ଏହା ପୂର୍ବରୁ ଅର୍ଥାତ୍ ୨୦୧୪ ଫେବ୍ରୁଆରିରେ ସପ୍ତମ ବେତନ ଆୟୋଗ ଗଠନ କରାଯାଇଥିଲା। ତେବେ ୨୦୧୬ ଜାନୁଆରି ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ସପ୍ତମ ବେତନ କମିଶନରେ କର୍ମଚାରୀଙ୍କ ଦରମା ୭ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସାଧାରଣତଃ ପ୍ରତି ୧୦ ବର୍ଷରେ ଏକ ନୂଆ କମିଶନ ଗଠନ କରାଯାଏ।

Leave a Reply

Your email address will not be published. Required fields are marked *