୭୯ ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି: ନିମନ୍ତ୍ରଣ କାର୍ଡରେ ଅପରେସନ ସିନ୍ଦୂର ଓ ଚେନାବ ସେତୁର ଝଲକ

ନୂଆଦିଲ୍ଲୀ: ଭାରତର ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଜାତୀୟ ରାଜଧାନୀରେ ଅତିଥିମାନଙ୍କୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡରେ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ର ଲୋଗୋ ଏବଂ ଚେନାବ ସେତୁର ପ୍ରତିଛବି ମୁଦ୍ରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ଉଦ୍‌ବୋଧନ କରିବେ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, “ଏବର୍ଷର ସ୍ୱାଧୀନତା ଦିବସରେ ‘ଅପରେସନ୍ ସିନ୍ଦୂର’ର ସଫଳତା ପାଳନ କରାଯିବ। ଲାଲକିଲ୍ଲାର ଜ୍ଞାନପଥରେ ‘ଭ୍ୟୁ କଟର’ରେ ଏହାର ଲୋଗୋ ପ୍ରଦର୍ଶିତ ହେବ।” ନିମନ୍ତ୍ରଣ କାର୍ଡରେ ଅପରେସନ ସିନ୍ଦୂରର ଲୋଗୋ ଉପର ଡାହାଣ କୋଣରେ ଥିବାବେଳେ, ଚେନାବ ସେତୁର ଆକୃତି ତଳ ଭାଗରେ ଦେଖାଯାଇଛି, ଯାହା ‘ନୂତନ ଭାରତ’ର ପ୍ରତୀକ ଭାବେ ପରିଗଣିତ। ଏହି ନିମନ୍ତ୍ରଣ ଇଂରାଜୀ ଓ ହିନ୍ଦୀରେ ଅନଲାଇନରେ ଜାରି ହୋଇଛି।

ଗତ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ମେ ୭ରେ ଭାରତୀୟ ସେନା ଅପରେସନ୍ ସିନ୍ଦୂର ଆରମ୍ଭ କରି ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲା। ଏହା ଦେଶର ସାମରିକ ଶକ୍ତିର ପ୍ରମାଣ ଭାବେ ଗ୍ରହଣ କରାଯାଇଛି। ଚେନାବ ସେତୁ, ଯାହା ବିଶ୍ୱର ସବୁଠାରୁ ଉଚ୍ଚ ସେତୁ ଭାବେ ପରିଚିତ, ଇଞ୍ଜିନିୟରିଂର ଶ୍ରେଷ୍ଠତାର ପ୍ରତୀକ।

ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବୁଧବାର ଦିନ ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରାଯାଇଥିବା ବେଳେ ଅଧିକାରୀମାନେ କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି।

Leave a Reply

Your email address will not be published. Required fields are marked *