ଚିଙ୍ଗୁଡ଼ି ଧରିବା ପାଇଁ ନଦୀରେ ବିଷ : ୭୩ ମଇଁଷି ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ଏକମାଣିଆ ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀର ଶାଖା ‘ଗଳିଆ’ରେ ଚରିବାକୁ ଯାଇଥିବା ୮୮ଟି ମଇଁଷିଙ୍କ ମଧ୍ୟରୁ ୭୩ଟିର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ତିନିଜଣ ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ଅଭିଯୋଗ ହୋଇଛି ଯେ, କେତେକ ଦୁର୍ବୃତ୍ତ ବାଗଦା ଚିଙ୍ଗୁଡ଼ି ଧରିବା ପାଇଁ ନଦୀରେ ବିଷ ପକାଇଥିଲେ, ଯାହା ଫଳରେ ମଇଁଷିଗୁଡ଼ିକ ବିଷାକ୍ତ ପାଣି ପିଇ ମରିଗଲେ।

ସୂଚନା ଅନୁଯାୟୀ, ଗତକାଲି ଭଟ୍ଟା ସମୟରେ ଏହି ଦୁର୍ବୃତ୍ତମାନେ ନଦୀରେ ବିଷ ମିଶାଇଥିଲେ। ଜୁଆରରେ ଭାସି ଆସୁଥିବା ଚିଙ୍ଗୁଡ଼ିଗୁଡ଼ିକ ବିଷରେ ମରି କୂଳରେ ଲାଗିବା ପରେ ସେମାନେ ଏହାକୁ ସଂଗ୍ରହ କରିଥିଲେ। କିନ୍ତୁ ଆଜି ସକାଳେ ମଇଁଷି ପଲ ନଦୀରେ ପଶି ପାଣି ପିଇବା ପରେ ଏକା ସଙ୍ଗେ ଅସୁସ୍ଥ ହୋଇପଡ଼ିଲେ। ନଦୀର ଗହୀରତା ଓ ଅଣଓସାରିଆ ହେବାରୁ ସେମାନେ କୂଳକୁ ଫେରି ପାରିନଥିଲେ ଏବଂ ଗୋଟିଏ ପରେ ଗୋଟିଏ ମରି ଭାସିଗଲେ।

କ୍ଷତିଗ୍ରସ୍ତ ଚାଷୀମାନେ ହେଲେ ଏକମାଣିଆ ଗାଁର ଗଣେଶ ଦାସ (୪୦ଟି ମଇଁଷି ମରିଛନ୍ତି), ଜଗନ୍ନାଥ ଦାସ (୧୭ଟି) ଏବଂ ପାଗଳା ବିଶ୍ବାଳ (୧୬ଟି)। ଗଣେଶଙ୍କର ୧୫ରୁ ଅଧିକ ମଇଁଷି କ୍ଷୀର ଦେଉଥିଲେ, ଯାହା ତାଙ୍କର ଜୀବିକାର ମୁଖ୍ୟ ଉତ୍ସ ଥିଲା। କିଛି ମଇଁଷି ସୌଭାଗ୍ୟକ୍ରମେ ବଞ୍ଚିଯାଇଛନ୍ତି – ଜଗନ୍ନାଥଙ୍କର ୩ଟି ଓ ପାଗଳାଙ୍କର ୧୨ଟି। ମୃତ ମଇଁଷିଗୁଡ଼ିକର ହେହ ଉଦ୍ଧାର କରାଯାଇଛି, କିନ୍ତୁ ଏହି ଘଟଣା ପରେ ଚାଷୀମାନେ ନିରାଶାରେ ଭାଙ୍ଗି ପଡ଼ିଛନ୍ତି। ସେମାନେ କହିଛନ୍ତି, “ଆମର ସବୁ ସମ୍ପତ୍ତି ଯାଇଛି, ପରିବାର କିପରି ଚଳିବ?”

ଏହି ଘଟଣା ରାଜ୍ୟରେ ପ୍ରଥମ ଥର ଘଟିଥିବା କୁହାଯାଉଛି। ସ୍ଥାନୀୟ ଲୋକମାନେ ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଳି ଥାନାରେ ଅଭିଯୋଗ ଦାୟର ହୋଇଛି ଏବଂ ପୋଲିସ୍ ତଦନ୍ତ ଆରମ୍ଭ କରିଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ମଧ୍ୟ ଦାବି ଉଠିଛି।

Leave a Reply

Your email address will not be published. Required fields are marked *