ରାକ୍ଷୀପୂର୍ଣ୍ଣିମାରେ ଆସିଲା ଦୁଃଖଦ ଖବର: ଜମ୍ମୁକାଶ୍ମୀରରେ ୨ ଯବାନ ସହିଦ, ଜଣେ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୯ମ ଦିନରେ ପହଞ୍ଚିଛି। ଏଥିମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ଆତଙ୍କବାଦୀର ମୃତଦେହ ଉଦ୍ଧାର କରାଯାଇଛି ଏବଂ ୧୦ଜଣ ଯବାନ ଆହତ ହୋଇଛନ୍ତି।
ସୂତ୍ର ଅନୁଯାୟୀ, ଘନ ଜଙ୍ଗଲ ଏବଂ ପ୍ରାକୃତିକ ଗୁମ୍ଫା ଭଳି ଆଡ୍ଡାର ସୁଯୋଗ ନେଇ ଅତି କମରେ ତିନି କିମ୍ବା ତା’ଠାରୁ ଅଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି। ଏହି ଅପରେସନ୍ ଗତ କିଛି ଦଶନ୍ଧି ମଧ୍ୟରେ ସବୁଠାରୁ ଦୀର୍ଘକାଳୀନ ଆତଙ୍କୀ ବିରୋଧୀ ଅପରେସନ୍ ପାଲଟିଛି। ଜମ୍ମୁ ଏବଂ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ଅଗଷ୍ଟ ୧ ତାରିଖରେ ‘ଅପରେସନ୍ ଅଖଲ’ ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ଏଠାରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥାଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି।
