ଇଜ୍ଜତ ଲୁଟିନେଲେ ସମ୍ପର୍କୀୟ ପିଉସା!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ପୀଡ଼ିତାଙ୍କ ସଂପର୍କୀୟ ପିଉସାଙ୍କ ସମେତ ୫ ଜଣଙ୍କୁ ଅଟକ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ଦିନ ପୀଡ଼ିତାଙ୍କୁ ତାଙ୍କ ସଂପର୍କୀୟ ପିଉସା ଥଣ୍ଡା ପିଆଇବା ଲାଗି ପାଖ ଦୋକାନକୁ ନେଇଥିଲେ। ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଅପେକ୍ଷା କରୁଥିବା ୪ ଜଣ ଯୁବକ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହା ସହ ସଂପର୍କୀୟ ପିଉସା ମଧ୍ୟ ଏହି ଅପରାଧରେ ସାମିଲ ଥିବା ଅଭିଯୋଗ ରହିଛି। ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ପ୍ରାୟ ରାତି ୧୧ଟା ସମୟରେ ରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ପିଉସା ସମେତ ୫ ଜଣଙ୍କୁ ଅଟକ କରିଛି। ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି ଏବଂ ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *