ୱାକଫ ବୋର୍ଡକୁ ଭଙ୍ଗ କଲେ ଆନ୍ଧ୍ର ସରକାର
ଖୁବଶୀଘ୍ର ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସରକାର ଅମଳରେ ଗଠନ ହୋଇଥିବା ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ଟିଡିପି ସରକାର । ୱାକଫ ବୋର୍ଡକୁ ନେଇ ପୂର୍ବ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅର୍ଡରକୁ ବର୍ତ୍ତମାନର ଟିଡିପି ସରକାର ପ୍ରତ୍ୟାହାର କରିନେଇଛନ୍ତି । ୨୦୨୩ ମାର୍ଚ୍ଚ ମାସ ଠାରୁ ବୋର୍ଡ ନିଷ୍କ୍ରିୟ ରହିବା ସହ କୌଣସି କାର୍ଯ୍ୟ କରାଯାଇ ନଥିଲା । ବୋର୍ଡରେ ପୂର୍ବ ସାଂସଦଙ୍କୁ ସାମିଲ କରାଯାଇ ନଥିଲା ।

ସୁନ୍ନି ଓ ଶିଆ ସମୁଦାୟର ସ୍କଲାର୍ସଙ୍କର କୌଣସି ପ୍ରତିନିଧିତ୍ୱ ନଥିଲା । ବାର କାଉନସିଲ ଶ୍ରେଣୀରୁ, ଜୁନିୟର ଅଧିବକ୍ତାଙ୍କୁ ବିନା ଉଚିତ ମାନଦଣ୍ଡରେ ଚୟନ କରାଯାଇଥିଲା । ଫଳରେ ମାମଲା ଦାୟର କରିଥିବା ବରିଷ୍ଠ ଅଧିକାରୀଙ୍କ ହିତରେ ବାଧା ସୃଷ୍ଟି ହୋଇଥିଲା । ଏସ.କେ ଖାଜାଙ୍କୁ ବୋର୍ଡର ସଦସ୍ୟ ଭାବେ ଚୟନ କରିବା ବିରୋଧରେ ଅଭିଯୋଗ ମିଳିଥିଲା । ବିଶେଷ କରି ‘ମୁତବଲ୍ଲୀ’ (ଯେଉଁ ବ୍ୟକ୍ତି ୱାକଫ ପରିଚାଳନା କରିବା ସହ ପ୍ରଶାସନ କାର୍ଯ୍ୟ ସମ୍ଭାଳିଥାନ୍ତି)ଙ୍କ ଯୋଗ୍ୟତାକୁ ନେଇ ଅଭିଯୋଗ ଆସିଥିଲା । ୱାକଫ ସମ୍ପତ୍ତିର ପରିଚାଳନା ଓ ସୁଧାର ପାଇଁ ୱାକଫ ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଛି ଓ ଏବେ ବଜେଟ ଅଧିବେସନ ୨୦୨୫ରେ ତାହାକୁ ଆଗତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।