୨୯୫ ରନ୍‌ରେ ଜିତିଲା ଭାରତ

ଅଷ୍ଟ୍ରେଲିଆର ଗଡ଼ ଭାବେ ପରିଚିତ ପର୍ଥରେ ଟେଷ୍ଟ୍‌ କ୍ରିକେଟ୍‌ର ନୂଆ ମାଇଲ୍‌ଖୁଣ୍ଟ ଛୁଇଁଛି। ପ୍ରଥମ ପାଳିରେ ମାତ୍ର ୧୫୦ ରନ୍ କରିବା ପରେ ନାଟକୀୟ ପ୍ରତ୍ୟାବର୍ତ୍ତନର ସଫଳ ଅଧ୍ୟାୟ ଯୋଡ଼ି ଏଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର୍ ଟ୍ରଫି (ବିଜିଟି)ର ପ୍ରଥମ ଟେଷ୍ଟ୍‌କୁ ଅବିଶ୍ବସନୀୟ ଭାବେ ୨୯୫ ରନ୍‌ରେ ଜିତି ନେଇଛି।

ଯଶପ୍ରୀତ୍‌ ବୁମ୍‌ରାଙ୍କ ଘାତକ ସ୍ପେଲ୍, ଜୟସ୍ବାଲଙ୍କ ଯଶସ୍ବୀ ପାଳି ଏବଂ କିଙ୍ଗ୍ କୋହଲିଙ୍କ ଅତୁଳନୀୟ ତଥା ଆକ୍ରମଣାତ୍ମକ ଶତକ ବଳରେ ଅଷ୍ଟ୍ରେଲିଆକୁ ଘାଇଲା କରି ବିଦେଶ ମାଟିରେ ଏହି ରେକର୍ଡଭରା ବିଜୟ ହାସଲ କରିଛି। ସାଢ଼େ ତିନି ଦିନରେ ଖେଳ ଖତମ କରି ଟିମ୍ ଇଣ୍ଡିଆ ମଧ୍ୟ ପର୍ଥର ଅପଟସ୍ ଷ୍ଟାଡିୟମ୍‌ରେ ଦୁର୍ଦ୍ଧର୍ଷ ଅଷ୍ଟ୍ରେଲିଆକୁ ହରାଇବାରେ ପ୍ରଥମ ଦଳ ହୋଇଛି। ତା’ ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବିଜିଟି ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ପୁଣି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ପଏଣ୍ଟ୍‌ ତାଲିକାର ଏକନମ୍ବର ସ୍ଥାନକୁ ଫେରି ଲଗାତାର ତୃତୀୟ ଥର ଫାଇନାଲ୍ ଖେଳିବା ଆଶାକୁ ଅତୁଟ ରଖିଛି। ରୋହିତ, ଗିଲ୍, ଜାଡ଼େଜା, ଅଶ୍ବିନ ଓ ସାମିଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତ ଜିତିବା ଏହାକୁ ଅଧିକ ଅଭୁଲା, ସ୍ବତନ୍ତ୍ର ଓ ସ୍ମରଣୀୟ କରିଛି। 

Leave a Reply

Your email address will not be published. Required fields are marked *