ମାୟାନଗରୀରେ ଶୁଭିଲା ଜଗନ୍ନାଥଙ୍କ ଭଜନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ହୋଇଥିବା ଓଡିଆ ଆଧ୍ୟାତ୍ମିକ ଭଜନ ‘ଜଗା ତୁ ଯାଦୁଗର’କୁ ମିଳିଛି ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ । ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ପକ୍ଷରୁ ମାୟାନଗରୀ ମୁମ୍ବାଇରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗ୍ରାଣ୍ଡ ଫିନାଲେରେ ଓଡିଆ ପୁଅ ତଥା ‘ଜଗା ତୁ ଯାଦୁଗର’ର କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ସାମିଲ ହୋଇ ପୁରସ୍କାର ଗ୍ରହଣ କରିଛନ୍ତି ।

ଜାତୀୟ ସ୍ତରରେ ଓଡିଆ ଭଜନକୁ ସ୍ୱୀକୃତି ମିଳିବା ଓଡିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ ହୋଇଥିବା ବେଳେ ଏହା ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର । ଏହି ପୁରସ୍କାର ଗ୍ରହଣ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ଏହି ଭାବଭକ୍ତି ଭରା ଭଜନକୁ ସଙ୍ଗୀତ ଲେଖକ ରାମକୃଷ୍ଣ ବାରିକ ଲେଖିଥିବା ବେଳେ ଏହାର କଣ୍ଠଦାନ ନିଜେ ଅଭିଜିତ୍ ମିଶ୍ର କରିଥିଲେ । ‘ଜଗା ତୁ ଯାଦୁଗର’ ଗୀତ କିଛି ଦିନ ତଳେ ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ ପାଇଁ ମନୋନୀତ ହୋଇଥିଲା । ଶୁକ୍ରବାର ରାତିରେ ମୁମ୍ବାଇ ଠାରେ ଏହି ଭଜନକୁ ସମ୍ମାନରେ ସମ୍ମାନିତ କରାଯାଇଛି । 

Leave a Reply

Your email address will not be published. Required fields are marked *