ମାଡି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଆସନ୍ତା ୫ ତାରିଖରେ ସୁମାତ୍ରା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସହ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ସମ୍ଭବତଃ ତାପମାତ୍ରା ଅଧିକ ରହିବ। ତେବେ ଦକ୍ଷିଣ ଆଭ୍ୟନ୍ତରରେ ଆସନ୍ତା ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି କମିବ। ଏହି ସମୟରେ ଶୀତ ବଢ଼ିବ। ତେବେ ୭ରୁ ୯ ତାରିଖ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଡିସେମ୍ବର ୨, ୩ ଓ ୯ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ରହିବ। ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି କମିବା ହେତୁ ଶୀତ ବଢ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ। ୫ରୁ ୭ ତାରିଖ ମଧ୍ୟରେ କୁହୁଡ଼ି ହୋଇପାରେ ବୋଲି ସେ ଆକଳନ କରିଛନ୍ତି।ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳର କେତେକ ସ୍ଥାନ ଏବଂ ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ବାକି ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିବ। 

Leave a Reply

Your email address will not be published. Required fields are marked *