ମହଙ୍ଗା ହେବ ବିମାନ ଯାତ୍ରା

ଡିସେମ୍ବର ୧ରୁ ଲାଗିଛି ବିମାନ ଯାତ୍ରୀଙ୍କୁ ବଡ଼ ଝଟକା । ସରକାରୀ ତୈଳ କମ୍ପାନୀଗୁଡ଼ିକ (ଓଏମସି) ଡିସେମ୍ବରରେ ଆଭିଏସନ ଟର୍ବାଇନ ଫୁଏଲ (ATF) ଅର୍ଥାତ୍ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି, ଯାହାର ସିଧା ପ୍ରଭାବ ବିମାନ ଭଡ଼ା ଉପରେ ପଡ଼ିପାରେ । ଡିସେମ୍ବର ୧ରୁ ATFର ଦାମ୍ କିଲୋଲିଟର ପିଛା ୧୩୧୮.୧୨ ଟଙ୍କା ବୃଦ୍ଧି ପାଇଛି ।ସରକାରୀ ତଥ୍ୟ ଅନୁଯାୟୀ, ଦେଶର ଚାରୋଟି ପ୍ରମୁଖ ମେଟ୍ରୋ ସହର ମଧ୍ୟରୁ ଦିଲ୍ଲୀରେ ବିମାନ ଇନ୍ଧନ ମୂଲ୍ୟ ବଢ଼ି କିଲୋଲିଟର ପିଛା ୯୧,୮୫୬.୮୪ ଟଙ୍କା ହୋଇଛି ।

କୋଲକାତାରେ କିଲୋଲିଟର ପିଛା ୯୪,୫୫୧.୬୩ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୮୫,୮୬୧.୦୨ ଟଙ୍କା ହୋଇଛି । ଏହିପରି ଚେନ୍ନାଇରେ ବିମାନ ଇନ୍ଧନର ମୂଲ୍ୟ ୯୫,୨୩୧.୪୯ ଟଙ୍କା ରହିଛି ।କ୍ରମାଗତ ଦ୍ୱିତୀୟ ମାସରେ ବି ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି । ଗତ ମାସରେ ATF ମୂଲ୍ୟ କିଲୋଲିଟର ପିଛା ୨,୯୪୧.୫ ଟଙ୍କା ବୃଦ୍ଧି ପାଇଥିଲା । ଏହା ସହିତ ଏୟାରଲାଇନ୍ସର ଅପରେଟିଂ ଖର୍ଚ୍ଚ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।ବିଶେଷଜ୍ଞମାନଙ୍କ କହିବା ହେଲା, ବିମାନ ଭଡ଼ା ୧୦ରୁ ୧୫% ବଢ଼ିପାରେ । ଏଭଳି ସ୍ଥିତିରେ ଡିସେମ୍ବର ମାସର ଛୁଟିଦିନମାନଙ୍କରେ ଯାତ୍ରୀମାନଙ୍କୁ ମହଙ୍ଗା ଟିକେଟର ସାମ୍ନା କରିବାକୁ ପଡ଼ିପାରେ । ଇନ୍ଧନ ମୂଲ୍ୟ ବୃଦ୍ଧି ପରେ ଏୟାରଲାଇନ୍ କମ୍ପାନୀଗୁଡ଼ିକ ବିମାନ ଭଡ଼ା ବଢ଼ାଇପାରନ୍ତି, ଯେଉଁ କାରଣରୁ ଯାତ୍ରୀମାନଙ୍କୁ ବିମାନ ଯାତ୍ରା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡ଼ିପାରେ ।

Leave a Reply

Your email address will not be published. Required fields are marked *