ବିମାନବନ୍ଦରରେ ଫସିଛନ୍ତି ଭାରତୀୟ ଯାତ୍ରୀ
ମୁମ୍ବାଇରୁ ମାଞ୍ଚେଷ୍ଟର ଯାଉଥିବା ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ପ୍ରାୟ ୨୦ ଘଣ୍ଟା ହେବ କୁଏତ୍ ବିମାନବନ୍ଦରରେ ଫସି ରହିଛନ୍ତି ଭାରତୀୟ ଯାତ୍ରୀ । ବିମାନ ଇଂଜିନରେ ନିଆଁ ଲାଗିଯିବାରୁ କୁଏତ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ । ଭାରତୀୟ ଯାତ୍ରୀଙ୍କ ସହିତ ଅନେକ ଯାତ୍ରୀ ଫସିଛନ୍ତି । ଫସିଥିବା ଯାତ୍ରୀଙ୍କ ସହାୟତା ପାଇଁ ଭାରତୀୟ ଦୂତାବାସ ତତ୍ପରତା ଦେଖାଇଛି ।

ଗଲ୍ଫ ଏୟାର ଯାତ୍ରୀମାନେ କୁଏତ୍ ବିମାନବନ୍ଦରର ଅଧିକାରୀଙ୍କ ସହ ଏନେଇ ଯୁକ୍ତିତର୍କ କରୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏକ ଭିଡିଓରେ ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ଆମକୁ ଏଠାରେ ଜାଣିଶୁଣି ହଇରାଣ କରାଯାଉଛି । ଏଠାରେ କେବଳ ୟୁରୋପ, ୟୁକେ ଓ ଆମେରିକା ଯାତ୍ରୀଙ୍କୁ ବିଶ୍ରାମ କରିବାକୁ ସ୍ଥାନ ମିଳୁଛି ବୋଲି ଭାରତୀୟ ଯାତ୍ରୀ ଅଭିଯୋଗ କରିଛନ୍ତି ।ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଫସିଥିବା ଯାତ୍ରୀଙ୍କୁ ସହାୟତା କରିବା ପାଇଁ ଭାରତୀୟ ଦୂତାବାସ ତତ୍ପରତା ଦେଖାଇଛି । ଭାରତୀୟ ଯାତ୍ରୀଙ୍କୁ ସୁବିଧା ଦେବା ପାଇଁ ଟିମ ବିମାନବନ୍ଦରରେ ପହଞ୍ଚିଛି । ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ।