ପୁରୀରେ ନୌସେନା ଜୋରସୋରରେ ପ୍ରସ୍ତୁତି

ଡିସେମ୍ବର ୪ ତାରିଖ ସୋମବାର ଅପରାହ୍ଣରେ ପାଳିତ ହେବ ନୌସେନା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଆଗରେ ଯୁଦ୍ଧ କୌଶଳ ଦେଖାଇବେ ନୌବାହିନୀର ଦୁର୍ଦ୍ଦଷ କମାଣ୍ଡୋ ମାର୍କୋସ୍‌। ଏହା ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ‌ ବିଚ୍‌ରେ ଆରମ୍ଭ ହୋଇଛି ଯୁଦ୍ଧାଭ୍ୟାସ(ରିହର୍ସାଲ୍)। ଆଜି ଏହି ଯୁଦ୍ଧାଭ୍ୟାସର ଦ୍ବିତୀୟ ଦିନରେ କମାଣ୍ଡୋମାନେ ବିସ୍ଫୋରଣ ସହ ଗୁଳିଗୋଳା ବର୍ଷାର ଦୃଶ୍ୟ ଦେଖାଇଛନ୍ତି। ନୌସେନାର ଲଢ଼ୁଆ ହେଲିକପ୍ଟର୍‌ ସହ ଫାଇଟର୍‌ ଜେଟ୍‌ଗୁଡ଼ିକ ଆକାଶ ମାର୍ଗରେ ଚକ୍କର କାଟି କଳାକୌଶଳ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି। ଆଜିର ଏହି ରିହର୍ସାଲ୍‌ରେ ୧୪ଟି ହେଲିକପ୍ଟର୍‌, ୧୨ଟି ଯୁଦ୍ଧଜାହାଜ, ୨ଟି ଫାଇଟର୍‌ ଜେଟ୍‌ ଓ ୨ଟି ଏରୋପ୍ଲେନ୍‌ ସାମିଲ୍‌ ଥିଲେ।ସମୁଦ୍ରର ଉତଙ୍ଗ ଜଳରାଶିରେ ଚକ୍କର କାଟୁଛି ବିଶାଳ ଜାହାଜ। ତଟ ଉପରେ ସତର୍କ ନଜର ରଖିଛି ନୌସେନାର ପାୱାର ବୋଟ୍। ଉପରେ ଘନ ଘନ ପଇଁତରା ମାରୁଛି ହେଲିକେପଟର। ଏପଟେ କୂଳରେ ଯୁଦ୍ଧଭୂମିର ଭ୍ରମ। ଘୁଁ ଘୁଁ ଗର୍ଜନ ସହ ପ୍ରସ୍ତୁତ ହେଉଛି ଯୁଦ୍ଧ ଟ୍ୟାଙ୍କ୍। ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ନେଭି ଡେ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ। ନୌସେନାର ବୀରତ୍ୱର ବାର୍ତ୍ତା ଦେଇ ପରେଡ୍ କରିବେ ଇଣ୍ଡିଆନ୍ ନେଭିର ଯବାନ। ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ।

Leave a Reply

Your email address will not be published. Required fields are marked *