ପାଟପୁର ଥାନାକୁ ମିଳିଲା ପୁରସ୍କାର
ସମଗ୍ର ଦେଶରେ ୨ୟ ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲା ପାଟପୁର ଥାନାକୁ ପୁରସ୍କୃତ କରାଯାଇଛି।ଆଜି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ମହାନିର୍ଦ୍ଦେଶକ ପୋଲିସର ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଟ୍ରଫି ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ ପ୍ରଦାନ କରିଛନ୍ତି ।

ଏନେଇ ପୂର୍ବରୁ ଯୁଗ୍ମ ନିର୍ଦ୍ଦେଶକ ତଥା ସମ୍ମିଳନୀ ସଚିବ, ଏମଏଚଏର ଇଣ୍ଟେଲିଜେନ୍ସ ବ୍ୟୁରୋ ସମୀର ଏସ ଆଇଏମ ଓଡ଼ିଶା ମହାନିର୍ଦ୍ଦେଶକ ୱାୟୀ.ବି. ଖୁରାନିଆଙ୍କୁ ଦେଶର ସର୍ବୋତ୍ତମ ପୋଲିସ ଷ୍ଟେସନ ଭାବରେ ଚୟନ ବିଷୟରେ ଚିଠି ଲେଖି ସୂଚନା ଦେଇଥିଲେ ।ସାରା ଦେଶରେ ଶ୍ରେଷ୍ଠ ଥାନାକୁ ପୁରସ୍କୃତ କରିବା ହେଉଛି ସ୍ବରାଷ୍ଟ୍ର ମନ୍ତ୍ରଣଳୟର ବାର୍ଷିକ କାର୍ଯ୍ୟକ୍ରମ, ଯେଉଁଥିରେ ଥାନାଗୁଡିକର ଅପରାଧ ହାର, ମାମଲାର ଅନୁସନ୍ଧାନ ଏବଂ ମାମଲାର ରଫାଦଫା, ଭିତ୍ତିଭୂମି ଏବଂ ଜନସେବା ପରି ୧୫୦ ରୁ ଅଧିକ ବିଭିନ୍ନ ପାରାମିଟର ଆଧାରରେ ବିଚାର କରାଯାଇଥାଏ। ମୋଟ ପଏଣ୍ଟଗୁଡିକର ପ୍ରାୟ ୨୦ ପ୍ରତିଶତ ନାଗରିକଙ୍କ ଠାରୁ ପୋଲିସ୍ ଷ୍ଟେସନ ବିଷୟରେ ମତାମତ ଉପରେ ଆଧାରିତ ହୋଇଥାଏ।