ଦୁର୍ଘଟଣାରେ ଚାଲିଗଲା ଯୁବ ଆଇପିଏସ୍ଙ୍କ ଜୀବନ
୨୬ ବର୍ଷୀୟ ଯୁବ ଆଇପିଏସ୍ ଅଫିସର୍ ହର୍ଷ ବର୍ଦ୍ଧନ ରବିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।

ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲା ନିବାସୀ ହର୍ଷବର୍ଦ୍ଧନ କର୍ନାଟକ କ୍ୟାଡର ୨୦୨୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଥିଲେ। ସେ ହୋଲେନ୍ରାସିପୁରର ପ୍ରୋବେଶ୍ନାରି ଆସିଷ୍ଟାଣ୍ଟ ଏସ୍ପି ଭାବେ ନିଜ ଡ୍ୟୁଟିରେ ରିପୋର୍ଟ କରିବାକୁ ଏକ ପୋଲିସ ଗାଡ଼ିରେ ହାସନ୍ ଯାଉଥିଲେ। ଏହି ସମୟରେ ଗାଡ଼ିର ଏକ ଟାୟାର ଫାଟିଯାଇଥିଲା ଏବଂ ଏହା ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ହର୍ଷବର୍ଦ୍ଧନଙ୍କର ମୃତ୍ୟୁ ହୋଇଥିବାବେଳେ ଗାଡ଼ିର ଡ୍ରାଇଭର ଆହତ ହୋଇଥିଲେ। ସେ ନିକଟରେ ମହୀଶୂରସ୍ଥିତ କର୍ନାଟକ ପୋଲିସ ଏକାଡେମୀରେ ନିଜର ୪ ସପ୍ତାହର ଟ୍ରେନିଂ ଶେଷ କରିଥିଲେ। ଘଟଣାକୁ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମୈୟା ଶୋକ ପ୍ରକଟ କରିଛନ୍ତି।