ଦକ୍ଷିଣ କୋରିଆରେ ଭୟଙ୍କର ତୁଷାର ଝଡ଼

ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପ୍ରବଳ ତୁଷାରପାତ ଯୋଗୁ ବୁଧବାର ଶହ ଶହ ବିମାନ ବାତିଲ ହୋଇଛି । ଏହାସହ ରେଳ ଏବଂ ସଡ଼କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।ନଭେମ୍ବରରେ ଆସିଥିବା ଏହି ତୁଷାର ଝଡ଼ ଦକ୍ଷିଣ କୋରିଆକୁ କଲବଲ୍ କରିପକାଇଛି ।

ଗତ ୫୦ ବର୍ଷରେ ଏହାକୁ ସବୁଠାରୁ ଭୟଙ୍କର ଝଡ଼ ବୋଲି କୁହାଯାଉଛି । ଦକ୍ଷିଣ କୋରିଆର ପାଣିପାଗ ଏଜେନ୍ସି କହିଛି ଯେ ସିଓଲର ଉତ୍ତର ଏବଂ ଆଖପାଖ ଅଞ୍ଚଳରେ ୨୦ ସେଣ୍ଟିମିଟର ତୁଷାରପାତ ହୋଇଛି, ଯାହା ଗତ ୫୨ ବର୍ଷ ମଧ୍ୟରେ ସିଓଲରେ ଆସିଥିବା ସବୁଠାରୁ ଭୟଙ୍କର ତୁଷାରପାତ । ଏଜେନ୍ସି ଅନୁସାରେ, ୧୯୭୨ ନଭେମ୍ବର ୨୮ରେ ୧୨ ସେଣ୍ଟିମିଟରର ତୁଷାରପାତ ହୋଇଥିଲା ।ଦେଶର ଅଧିକାଂଶ ସ୍ଥାନକୁ ଏହି ଝଡ଼ ପ୍ରଭାବିତ କରିଛି । ଦେଶର ମଧ୍ୟ, ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ପାଖାପାଖି ୧୦ରୁ ୨୩ ସେଣ୍ଟିମିଟରର ତୁଷାରପାତ ହୋଇଛି । ସାରା ଦେଶରେ ପାଖାପାଖି ୨୨୦ଟି ବିମାନ ବାତିଲ କରାଯାଇଥିବା ବେଳେ ଉଡ଼ାଣରେ ମଧ୍ୟ ବିଳମ୍ବ ହୋଇଛି ।ଅଧିକାରୀମାନେ ୯୦ଟି ଡଙ୍ଗାକୁ ବନ୍ଦରରେ ହିଁ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଓଲରେ ରାସ୍ତାରେ ବରଫ ଜମା ହୋଇଥିବାରୁ ସକାଳେ ଯାତାୟାତ ପ୍ରକ୍ରିୟା ଧିମା ରହିଥିଲା । 

Leave a Reply

Your email address will not be published. Required fields are marked *