ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ଵର : ୧୭ତମ ବିଧାନସଭାର ଦ୍ବିତୀୟ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଚଳିତ ଶୀତ ଅଧିବେଶନ ବେଶ୍ ସରଗରମ ହେବା ନେଇ ଆଲୋଚନା ହେଉଛି । ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜୁ ଜନତା ଦଳ ଏବଂ କଂଗ୍ରେସ ଅଙ୍କକଷି ସାରିଛି ।

ସରକାରଙ୍କ ଅବହେଳା ଓ ରାଜ୍ୟସ୍ୱାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଅଡ଼ୁଆରେ ପକାଇବାକୁ ବିଧାୟକଦଳ ବୈଠକରେ ଆଲୋଚନା ହୋଇଛି । ଆମ୍ବଟାକୁଆ ଜାଉ ଖାଇ ୩ ମୃତ, ଆଡାନୀଙ୍କ ଜମି ଅଧିଗ୍ରହଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିବେ ବିରୋଧୀ । ଧାନ ମଣ୍ଡି ସମସ୍ୟା, ଦରଦାମ ବୃଦ୍ଧି, ବେରୋଜଗାର, ସୁଭଦ୍ରା ଯୋଜନାରେ ପକ୍ଷପାତିତା ପ୍ରସଙ୍ଗ ଉଠାଇ ସରକାଙ୍କୁ ଘେରିବାର ଯୋଜନା କରିଛି କଂଗ୍ରେସ । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର ।