ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା
୨୪ ଘଣ୍ଟା ଧରି ଉପକୂଳ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ମୂଷଳଧାରରେ ବର୍ଷା ସହ କେତେକ ଅଞ୍ଚଳରେ ଅତିଭୀଷଣ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳ ତାମିଲନାଡ଼ୁର ୯ ଜିଲ୍ଲାରେ ଭୀଷଣ ବର୍ଷା ହେଉଛି।

ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ଜଳବନ୍ଦୀ ପିରସ୍ଥିତି ସୃଷ୍ଟି ହୋଇଛି । ଚେନ୍ନାଇ ବିମାନବନ୍ଦରରେ ବିମାନ ଚଳାଚଳ ଓ ଲୋକାଲ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ରବିବାର ଭୋର ୪ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ ବୋଲି ସରକାରୀ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ତାମିଲନାଡୁର ୭ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି ।ତାମିଲନାଡୁ ସରକାର ଚେନ୍ନାଇ, ତିରୁବଲ୍ଲୁର, କାଞ୍ଚିପୁରମ୍ ଓ ଚେଙ୍ଗଲପଟ୍ଟୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ଆଇଟି କଂପାନିଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଆଜି ଘରୁ କାମ କରିବାକୁ ଅନୁମତି ଦେବାକୁ ପରାମର୍ଶ ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଚେନ୍ନାଇରେ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟ ଜରୁରିକାଳୀନ ଅପରେସନ୍ ସେଣ୍ଟରରେ ସ୍ଥିତିର ସମୀକ୍ଷା କରି କହିଛନ୍ତି ଯେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କ ପାଇଁ ଶିବିର ସ୍ଥାପନ କରାଯାଇଛି ।